ବିଧାନସଭା ବେଳେ ରାଜରାସ୍ତାରେ ଗର୍ଜିବେ ଶିକ୍ଷକ
1 min read
ବିଧାନସଭାବେଳେ ରାଜରାସ୍ତାରେ ଗର୍ଜିବେ ଶିକ୍ଷକ । ପ୍ରତିଶୃତି ଦେଇ ପ୍ରତାରଣାର ବିକଳ ଚିତ୍ର ଦେଖିବେ ଓଡି଼ଶାବାସୀ । ଶିକ୍ଷାନୁଷ୍ଠାନ ଛାଡି ରାଜଧାନୀର ରାଜରାସ୍ତାରେ ଏକାଠି ହେବେ ସବୁ ବର୍ଗର ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ। ପ୍ରାଥମିକ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ଅଧ୍ୟାପକ ମାନେ ରାଜରାସ୍ତାକୁ ଓଲ୍ହାଇବେ। ପାଠ ପଢ଼ାଇବା ଛାଡି ବିଧାନସଭା ଆଗରେ ବିକ୍ଷୋଭ କରିବେ ଓ ଧାରଣାରେ ବସିବେ। ଆସନ୍ତା ୨୦ ତାରିଖରେ ରାଜ୍ୟର ପ୍ରାଥମିକ ଶିକ୍ଷକ ମାନେ ହଜାର ହଜାର ସଂଖ୍ୟାରେ ପିଏମଜି ଠାରେ ବିକ୍ଷୋଭ କରିବେ। ସେହିପରି ଅଧ୍ୟାପକ କର୍ମଚାରୀ ମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବେ । ଯାହାକୁ ନେଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସରକାରକୁ ଆସିବା ପୂର୍ବରୁ ବିରୋଧୀ ଦଳରେ ରହି ଦାବି ପୂରଣ ପାଇଁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା ତାକୁ ପୂରଣ ନକରି ୧୫ ମାସ ହେଲା ସମୟ ଗଡାଇ ଚାଲିଛି । ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଓ ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି ବିଭିନ୍ନ ସଂଘ ପକ୍ଷରୁ ଚେତାଇ ଦିଆଯାଇଛି ।
କେବଳ ଶିକ୍ଷକ ଅଧ୍ୟାପକ କିମ୍ବା କର୍ମଚାରୀ ନୁହଁନ୍ତି ବାରମ୍ବାର ପ୍ରତିଶୃତି ଓ ପ୍ରତାରଣାରେ ଅତିଷ୍ଠ ହୋଇ ପଡ଼ିଥିବା ଭିନ୍ନକ୍ଷମ ଶିକ୍ଷକମାନେ ମଧ୍ୟ ନିଜ ପରିବାର ସହ ବିକ୍ଷୋଭ ଓ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ ତାରିଖରେ ବିଧାନସଭା ଆଗରେ ଧାରଣା ଦେବେ । ରାଜ୍ୟର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପିଲାଙ୍କ ଭବିଷ୍ୟତ ତିଆରି କରୁଥିବା ଭିନ୍ନକ୍ଷମ ଶିକ୍ଷକମାନେ ସରକାରଙ୍କ ପାଖରେ ଗୁହାରି କରି କରି ନିରାଶ ହେବା ପରେ ପରିବାର ସହ ଧାରଣା ଦେବେ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏଭଳି ସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଅଭିଭାବକ ମହାସଂଘ। ନିର୍ବାଚନ ଜିତିବା ପାଇଁ ବହୁ ପ୍ରତିଶୃତି ଓ କୌଣସି କଥା ପୂରଣ ନ ହେବାରୁ ଏଭଳି ହେଉଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେପଟେ ଶାସକ ଦଳର କହିବା କଥା ଶିକ୍ଷା ଓ ଶିକ୍ଷକଙ୍କ ପାଇଁ ପଦକ୍ଷେପ ନିଆଯାଉଛି। ଗୋଟିଏ ପଟେ କୌଣସି ଆଲୋଚନା କିମ୍ବା ବିଚାର ବିମର୍ଶ ନ କରି ଜାତୀୟ ଶିକ୍ଷା ନୀତି ଲାଗୁ ଯୋଗୁ ରାଜ୍ୟରେ ବିରୋଧ ତେଜିବାରେ ଲାଗିଛି । ଏବେ ବିଭିନ୍ନ ବର୍ଗର ଶିକ୍ଷକ ଏକସାଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ସ୍ୱାଭାବିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।