୨୦୨୬ର ପ୍ରଥମ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ଆଜି, କାହାକୁ ମିଳିବ ସ୍ଥାନ ?
ନନ୍ଦିଘୋଷ ବ୍ୟୁରୋ: ନୁଆବର୍ଷ ୨୦୨୬ର ପ୍ରଥମ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହେବ । ଆଜି ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବିସିସିଆଇର ବରିଷ୍ଠ ପୁରୁଷ ଚୟନ କମିଟି ବୈଠକ ବସିବ । ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଚୟନ କରାଯିବା ସହ ଘୋଷଣା କରାଯିବ । ଆଗକୁ ଟି୨୦ ବିଶ୍ବକପ୍ ଥିବାରୁ ଏହି ଦିନିକିଆ ସିରିଜ ଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥିଲେ ବି କିଛି ଖେଳାଳିଙ୍କ କ୍ରିକେଟ ଭବିଷ୍ୟତ ପାଇଁ ଗୁରୁତ୍ବ ରହିଛି ।
୧୧ ଜାନୁଆରୀରୁ ନ୍ୟୁଜିଲିଣ୍ଡ ଓ ଭାରତ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ଗତ ଦୁଇଟି ସିରିଜ ପରି ଏଥର ଫୋକସରେ ରୋହିତ ଶର୍ମା ଏବଂ ବିରାଟ କୋହଲି ନାହାନ୍ତି । ହେଲେ ଏମିତି କିଛି ଖେଳାଳିଙ୍କ ଉପରେ ନଜର ରହିଛି ଯେଉଁମାନେ ନିୟମିତ ଟିମରୁ ଇନ, ଆଉଟ୍ ହେଉଚନ୍ତି । ଆଉ ଏମାନଙ୍କ ମଧ୍ୟରେ ଦୁଇଟି ବଡ଼ ନାଁ ରିଷଭ ପନ୍ତ ଏବଂ ମହମ୍ମଦ ସାମି ।
ପନ୍ତ-ଇଶାନ ନା ଜୁରେଲ; କାହାକୁ ମିଳିବ ସୁଯୋଗ ?
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ପନ୍ତ ଭାରତୀୟ ଟିମରେ ଥିଲେ ବି ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ । ସୂଚନା ମିଳୁଛି ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ପ୍ଲେଇଂ ଇଲେଭେନରେ ଦେଖିବା ତ ଦୂରର କଥା, ତାଙ୍କ ଚୟନ ବି ହୋଇ ନପାରେ । ତାଙ୍କ ସ୍ଥାନରେ ଚୟନକର୍ତ୍ତା ଇଶାନ କିଷାନଙ୍କୁ ଟିମରେ ନେଇପାରନ୍ତି । ସେ ଜବରଦସ୍ତ ଫର୍ମରେ ଥିବା ବେଳେ ଟି୨୦ ବିଶ୍ବକପ୍ ପାଇଁ ଟିକେଟ ହାସଲ କରିସାରିଛନ୍ତି । ଇଶାନ ନିକଟରେ ବିଜୟ ହଜାରେ ଟ୍ରଫିରେ ମାତ୍ର ୩୪ ବଲରେ ଶତକ ଲଗାଇ ନିଜ ଫର୍ମ ଦେଖାଇ ସାରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଚୟନକର୍ତ୍ତା ଇଶାନଙ୍କୁ ନେବେ ନା ଧ୍ରୁବ ଜୁଏଲଙ୍କ ଉପରେ ନଜର ପକାଇବେ । ଏବେ ସବୁଠି ଇଶାନ କିଷାନଙ୍କୁ ନେଇ ଚର୍ଚ୍ଚା ହେଉଛି । ଆଉ ଯଦି ଇଶାନ ଟିମକୁ ଫେରନ୍ତି ଦିନିକିଆ ବିଶ୍ବକପ୍ ପରେ ଏହି ଫର୍ମାଟରେ ପ୍ରଥମ ଥର ଟିମକୁ ଫେରିପାରନ୍ତି ।
ଶାମୀ ଓ ସିରାଜ ଫେରିବେ କି ?
ସବୁଠାରୁ ବଡ଼ ପ୍ରଶ୍ନ ହେଲା ଟିମ ଇଣ୍ଡିଆକୁ ମହମ୍ମଦ ଶାମୀ ଫେରିବେ କି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରଠାରୁ ସେ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଫିଟନେଓ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପରିବା ପରଠାରୁ ତାଙ୍କୁ ଆଉ ସୁଯୋଗ ମିଳିନି । ଆଉ ଏମିତି ସ୍ଥିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଛି । ଘରୋଇ କ୍ରିକେଟରେ ଶାମୀ ନିୟମିତ ଚମତ୍କାର ଦେଖାଇ ଚାଲିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଅଜିତ ଅଗରକର ତାଙ୍କୁ ସୁଯୋଗ ଦେବେ ନା ନାହିଁ ? ଆଉ ଆଜିର ବୈଠକରେ ଶାମୀଙ୍କ ଭବିଷ୍ୟତ ସ୍ପଷ୍ଟ ହୋଇଯିବ । ସେହିପରି ମହମ୍ମଦ ସିରାଜଙ୍କ ପାଇଁ ବି ଏହି ଦିନିକିଆରେ ଚୟନ ହେବା ଗୁରୁତ୍ବପୂର୍ଣ୍ଣ ରହିଛି । କିଛିଦିନ ହେବ ସେ ମଧ୍ୟ ଦିନିକିଆ ଓ ଟି୨୦ ଟିମରୁ ବାହାରେ ଅଛନ୍ତି । ତାଙ୍କର ଟି୨୦ କ୍ୟାରିୟର ଏକ ପ୍ରକାର ଶେଷ ହୋଇ ସାରିଥିବା ବେଳେ ଦିନିକିଆ ପାଇଁ ସେ ପ୍ରବଳ ଦାବିଦାର ରହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ସିରିଜରେ ଥିବା ଅଧିକାଂଶ ଖେଳାଳିଙ୍କୁ ହି ସିରିଜରେ ଦେଖିବାକୁ ମିଳିବ ।
ସମ୍ଭାବ୍ୟ ଦିନିକିଆ ଟିମ୍
ଶବମନ ଗିଲ (ଅଧିନାୟକ)
ରୋହିତ ଶର୍ମା
ବିରାଟ କୋହଲି
ଋତୁରାଜ ଗାୟକଓ୍ବାଡ
କେଏଲ ରାହୁଲ
ରବୀନ୍ଦ୍ର ଜାଡେଜା
ଓ୍ବାସିଂଟନ ସୁନ୍ଦର
କୁଲଦୀପ ଯାଦବ
ମହମ୍ମଦ ଶାମୀ
ମହମ୍ମଦ ସିରାଜ
ପ୍ରସିଦ୍ଧି କ୍ରିଷ୍ଣା
ଇଶାନ କିଷାନ
ଯଶସ୍ବୀ ଜୟସଓ୍ବାଲ
ତିଲକ ବର୍ମା
ଶ୍ରୀୟସ ଆୟର

