ବୁମ୍ରା OUT, କୁଲଦୀପ In… ଦ୍ବିତୀୟ ଟେଷ୍ଟରେ ହେବ ଏହି ବଡ଼ ପରିବର୍ତ୍ତନ

1 min read

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମୁକାବିଲା ଜୁଲାଇ ୨ରେ ବର୍ମିଘମର ଏଜବେଷ୍ଟନ ପଡ଼ିଆରେ ଖେଳାଯିବ । ଏହା ପୂର୍ବରୁ ଆଜି ଭାରତର ଆସିଷ୍ଟାଣ୍ଟ କୋଚ ରୟାନ ଟେନ ଡୋଶେଟ ପ୍ରେସ କନଫରେନ୍ସ କରିଥିଲେ । ଏହି ଅବସରରେ ସେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ରଣନୀତି ପରିବର୍ତ୍ତନକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ ।

ରୟାନ ସ୍ପଷ୍ଟ କରିଛନ୍ତି ଯେ, ଦ୍ବିତୀୟ ଟେଷ୍ଟରେ ଅତିକମରେ ଦୁଇଟି ପରିବର୍ତ୍ତନ ହେବ । ଦ୍ବିତୀୟ ଟେଷ୍ଟରେ ନୂଆ କମ୍ବିନେସନ ସହ ଟିମ୍ ପଡ଼ିଆକୁ ଓହ୍ଲାଇବ । ଭାରତର ଷ୍ଟାର ପେସର ଯଶପ୍ରୀତ ବୁମ୍ରାଙ୍କୁ ଏହି ଟେଷ୍ଟରେ ଆରାମ ଦିଆଯାଇଛି । ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ ଅନୁସାରେ ତାଙ୍କୁ ଏହି ବ୍ରେକ ଦିଆଯାଇଛି । ସେ ଲର୍ଡସରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦଳକୁ ଫେରିବେ । ପ୍ରଥମ ଟେଷ୍ଟରେ ବୁମ୍ରା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ମାତ୍ର ଲଗାତର କ୍ରିକେଟକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ରେକ ଦେବା ଜରୁରୀ ମନେ କରାଯାଇଥିଲା ।

ପ୍ରଥମ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୪ଟି କ୍ୟାଚ ଛାଡ଼ିଥିଲେ । ଫଳରେ ଇଂଲଣ୍ଡ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ତେଣୁ ଜୟସ୍ବାଲଙ୍କୁ ସ୍ଲିପ କର୍ଡନରୁ ହଟାଇ ଆଟଫିଲ୍ଡରେ ଲଗାଇବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଗତ ମ୍ୟାଚରେ ଶାର୍ଦୁଲ ଠାକୁର ବୋଲିଂ ଓ ବ୍ୟାଟିଂରେ ସେଭଳି ପ୍ରଭାବ ପକାଇ ପାରିନଥିଲେ । ତେଣୁ ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ବର୍ମିଘମ ପିଚରେ ଗରମ ମୌସୁମ ଓ ଶୁଷ୍କ ଚଟାଣକୁ ଦେଖି ଭାରତ ଦୁଇଜଣ ସ୍ପିନରଙ୍କୁ ପ୍ଲେଇଂ-୧୧ରେ ସାମିଲ କରିପାରେ । ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ୨ ଜଣଙ୍କୁ ସୁଯୋଗ ମିଳିପାରେ ।