ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ ଅଭିଯାନ ଆରମ୍ଭ କଲା ଭାରତ

1 min read

ଚେନ୍ନାଇ: ବିଶ୍ବକପରେ ଭାରତର ଅଭିଯାନରେ ଚମକିଲେ ବିରାଟ-ରାହୁଲ । ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ବକପ ଅଭିଯାନ । ଓ୍ବାର୍ଲ୍ଡକପର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ଛକା ମାରି ଭାରତକୁ ଜିତାଇଲେ କେ.ଏଲ ରାହୁଲ  । ୪୧ ଓଭରରେ ବିଜୟ ହାସଲ କରିବା ସହ ୬ ଓ୍ବିକେଟରେ ମ୍ୟାଚ ଜିତିନେଇଥିଲା ଭାରତ । କେ.ଏଲ ରାହୁଲ ଅପରାଜିତ ୯୭ ରନ କରିଥିବାବେଳେ ବିରାଟ ୮୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରିଥିଲେ  ।

୨୦୦ ରନର ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା । ମିଚେଲ ଷ୍ଟାର୍କ ଓ ଜୋସ୍ ହେଜଲଉଡଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତର ଓପନିଂ ଲାଇନ ଭୁଶୁଡ଼ି ପଡ଼ିଥିଲା  । ଦଳର ତିନି ଖେଳାଳିଙ୍କୁ ଶୂନ ରନରେ ପାଭିଲିୟନ ଫେରାଇଥିଲା ଅଷ୍ଟ୍ରେଲିଆ  । ଇଶାନ କିଷନ ପ୍ରଥମ ଓଭରରେ ପାଭିଲିଅନ ଫେରିଥିବାବେଳେ କ୍ୟାପଟେନ ରୋହିତ ଶର୍ମା ଓ ଶ୍ରେୟସ ଆୟାର ଶୂନ କରି ଆଉଟ ହୋଇଥିଲେ  । ପରେ ବିରାଟ କୋହଲି ଓ କେ.ଏଲ. ରାହୁଲ ଦରଦାର ପାଳି ଖେଳିବା ସହ ଭାରତର ବ୍ୟାଟିଂ ଲାଇନକୁ ଦୃଢୀଭୂତ କରି ଲମ୍ବା ସମୟ କ୍ରିଜରେ ରହିଥିଲେ ।  ଉଭୟଙ୍କ ଭାଗିଦାରୀରେ ଦଳ ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା  ।

୩୭ ତମ ଓଭରରେ ବିରାଟ କୋହଲି ୮୫ ରନ କରି ଆଉଟ ହୋଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ । ଶେଷରେ ୪୧ ଓଭର ୨ଟି ବଲରେ ଭାରତ ବିଜୟ ଲାଭ କରିଥିଲା । ଛକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ କେଏଲ ରାହୁଲ  । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କଙ୍ଗାରୁବାହିନୀ । ଭାରତର ବୋଲିଂ ଆଗରେ ଧରାସାୟୀ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ଆଟାକିଂ ମୁଡ୍ ଦେଖିବାକୁ ମିଳିଥିଲା । କୌଣସି ବି ବ୍ୟାଟର୍ ଅର୍ଦ୍ଧଶତକୀୟ କରିପାରିନଥିଲେ ।

ସ୍ପିନରଙ୍କ କମାଲରେ ମାତ୍ର ୧୯୯ ରନରେ ଅଟକିଥିଲା କଙ୍ଗାରୁ ବାହିନୀ । ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ୩ଟି ଓ୍ବିକେଟ୍ ମିଳିଥିବା ବେଳେ କ୍ୟାଚ୍ ଧରିବାରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି । ବୁମରା ଓ କୂଲଦୀପଙ୍କୁ ୨ଟି ଲେଖାଏ ଓ୍ବିକେଟ ମିଳିଥିବାବେଳେ ଅଶ୍ବିନୀ, ହାର୍ଦ୍ଦିକ ଓ ସିରାଜଙ୍କୁ ଗୋଟିଏ ଲେଖାଏ ଓ୍ବିକେଟ ମିଳିଥିଲା  । ଫଳରେ  49.3 ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ଦଳ ୧୯୯ ରନ୍ କରିଥିଲା । ଜବାବରେ ମ୍ୟାଚକୁ ୬ ଓ୍ବିକେଟରେ ଜିତିନେଇଛି ଭାରତ  ।