ବିଶ୍ବକପ ହକି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହେଲା ଟିମ୍ ପ୍ରାଇଡ୍

ଭୁବନେଶ୍ୱର: ବିଶ୍ବକପ ହକିର ସଫଳ ଆୟୋଜନ ପାଇଁ ସବୁ ସ୍ତରରେ ନିଆଯାଉଛି ପଦକ୍ଷେପ । ରାସ୍ତାକଡ଼ରୁ ଜବର ଦଖଲ ଉଚ୍ଛେଦଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ ଓ ତାହାର ସୁରକ୍ଷା ପାଇଁ ବିଡିଏ, ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ବତନ୍ତ୍ର ଭାବେ ଗଠିତ ହୋଇଛି ଟିମ ପ୍ରାଇଡ୍ । ୧୭ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ପ୍ରତ୍ୟେକ ଟିମକୁ ଭିନ୍ନ ଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । ୧୭ଟି ଟିମରେ ୧୫୦ଜଣ ସଦସ୍ୟ ରହିଛନ୍ତି । ପ୍ରତି ଟିମରେ ଦୁଇଜଣ ଲେଖାଏଁ ପୋଲିସ କର୍ମଚାରୀ ଥିବାବେଳେ ନେତୃତ୍ୱ ନେଉଛନ୍ତି ଜଣେ ଡିଏସପି ରାଙ୍କର ଅଧିକାରୀ ।

ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ଆଜି ଥିବା ବେଳେ ୧୩ ତାରିଖରୁ ଆରମ୍ଭ ହେବ ମ୍ୟାଚ । ଏହା ପୂର୍ବରୁ ଟିମ୍ ପ୍ରାଇଡ ଏଜି ଛକରୁ ସାଇରନ ସହ ପଟୁଆରରେ ବାହାରି ରାଜଭବନ ଛକ, ୧୨୦ ବାଟାଲିଆନ, ବେହେରା ସାହି ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ୧୭ଟି ଗାଡ଼ିକୁ ହକି ଷ୍ଟିକ ଓ ସ୍କ୍ୱାର୍ଡର ସଦସ୍ୟମାନଙ୍କୁ ବଲ୍ ଆକାରରେ ସଜାଯାଇଥିଲା । ପରେ ଟିମର ସଦସ୍ୟମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ଅବସରରେ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ଓ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଉପସ୍ଥିତ ରହି ଟିମ୍ ପ୍ରାଇଡର ସଦସ୍ୟଙ୍କୁ ଶୃଙ୍ଖଳିତ ଓ ମାନବିକତାର ସହ ଦାୟିତ୍ୱ ତୁଲାଇବାକୁ ପରାମର୍ଶ ଦେଇଥିଲେ ।