ଅଣାୟତ ହେଉଛି କୃଷକ ଆନ୍ଦୋଳନ; ଲୁହାବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଅନ୍ନଦାତା। ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ। ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍ କରାଯାଇଛି। ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ସମେତ ପାରାମିଲିଟାରୀ କର୍ମଚାରୀଙ୍କୁ ମଧ୍ୟ ସୀମାରେ ମୁତୟନ କରାଯାଇଛି।

ଡ୍ରୋନ୍ ସହାୟତାରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି। ସିଙ୍ଘୁ ସୀମାରେ ଥିବା ଫ୍ଲାଏ ଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ। ରାଲିରେ ପ୍ରାୟ ଦୁଇ ହଜାର ୫୦୦ ଟ୍ରାକ୍ଟର ସାମିଲ ହୋଇଛନ୍ତି। ଶସ୍ୟ ଲାଗି ଏମଏସପି ସକାଶେ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ କରିବା, ସ୍ବାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, ଚାଷୀ ଋଣ ଛାଡ଼ କରିବା, ପୋଲିସ ମୋକଦ୍ଦମା ପ୍ରତ୍ଯାହାର କରିବା, ଲଖିମପୁରୀ ଖେରି ହିଂସାରେ ପୀଡିତଙ୍କୁ ନ୍ୟାୟ ଦେବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଛି । ଚାଷାମାନେ ଲମ୍ବା ସମୟ ଧରି ଆନ୍ଦୋଳନ ପ୍ରସ୍ତୁତିରେ ଆସିଛନ୍ତି । ସାଙ୍ଗରେ ୬ ମାସର ଖାଦ୍ଯ ଶସ୍ଯ ମଧ୍ଯ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଥିବାବେଳେ ଟ୍ରାକ୍ଟର ଯେପରି ଆସିପାରିବ ନାହିଁ ସେଥିଲାଗି ଘାଗଲ ନଦୀ ଶଯ୍ଯାକୁ ଖୋଳି ଦିଆଯାଇଛି ।