ତେଜସ୍ବୀଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀର ମାନ୍ୟତା ପାଇବେ ଜୀବିକା ଦିଦି, ମାସିକ ବେତନ ୩୦ ହଜାର

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତେଜସ୍ବୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି । ଯଦି ରାଜ୍ୟରେ ତାଙ୍କର ଦଳ ସରକାର ଗଠନ କରେ, ତେବେ ରାଜ୍ୟର ସମସ୍ତ କମ୍ୟୁନିଟି ମୋବିଲାଇଜର ବା ଜୀବିକା ଦିଦିଙ୍କୁ ସ୍ଥାୟୀ ସରକାର ଚାକିରି ଦିଆଯିବ । ଏହି ଦିଦିମାନଙ୍କୁ ଅସ୍ଥାୟୀ ନୁହେଁ, ସରକାରୀ କମର୍ଚାରୀର ମାନ୍ୟତା ମିଳିବ । ଜୀବିବା ଦିଦିଙ୍କୁ ଅତିକମରେ ୩୦ ହଜାର ଟଙ୍କା ପ୍ରତି ମାସରେ ବେତନ ମିଳିବ । ଏହି ଘୋଷଣାକୁ ସେ ଯେ କୌଣସି ପ୍ରକାରେ ପୂରଣ କରିବେ ବୋଲି ତେଜସ୍ବୀ କହିଛନ୍ତି ।
ଆରଜେଡି ନେତା ତେଜସ୍ବୀ କହିଛନ୍ତି, ଜୀବିବିକା ଦିଦିଙ୍କ ସହିତ କ୍ରମାଗତ ଭାବେ ଶୋଷଣ ହେଉଛି । ମାତ୍ର ଏବେ ଏହି ଅନ୍ୟାୟକୁ ସମାପ୍ତ କରାଯିବ । ଦିଦିଙ୍କ କଥା ଶୁଣିବା ପରେ ଏହି ପ୍ରସଙ୍ଗ ଉପରେ ଅଧ୍ୟୟନ କରାଯାଇଥିଲା ଓ ତା’ପରେ ନିଷ୍ପତ୍ତି ନିଆଯାଇଥିଲା । ଜୀବିକା ଦିଦିମାନେ ଗାଁ-ଗାଁରେ ସମାଜକୁ ଯୋଡ଼ିବା ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ଏବେ ସେମାନଙ୍କ ଯୋଗଦାନର ସଠିକ୍ ସମ୍ମାନ ମିଳିବା ନେଇ ସମୟ ଆସିଯାଇଛି । ଜୀବିକା ଦିଦିଙ୍କ ଦ୍ବାରା ନିଆଯାଇଥିବା ସମସ୍ତ ଋଣର ସୁଧକୁ ଛାଡ଼ କରାଯିବ । ଏଥିସହିତ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରାଯିବ । ଜୀବିକା ସମୂହର ଦିଦିଙ୍କୁ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ପ୍ରତି ମାସରେ ୨ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ ।