ଆରଜେଡି କାର୍ଯ୍ୟକାରୀ ସଭାପତି ହେଲେ ତେଜସ୍ବୀ ଯାଦବ
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ଜନତା ଦଳର କାର୍ଯ୍ୟକାରୀ ସଭାପତି ହେଲେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତେଜସ୍ବୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।
ଏହି ଅବସରରେ ତେଜସ୍ବୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବଡି ଦେବୀ ଉପସ୍ଥିତ ଥିଲେ । ତେଜସ୍ବୀଙ୍କ ଏହି ଉତ୍ତରଣ ଦଳର ସାଂଗଠନିକ ବିନ୍ୟାସକୁ ସୁଦୃଢ଼ କରିବା ସହ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ତେଜସ୍ବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ତେବେ ତେଜସ୍ବୀଙ୍କୁ ଏହି ପଦବୀ ଦେବା ପରେ ଖୁସିନାହାନ୍ତି ଭଉଣୀ ରୋହିଣୀ ଆଚାର୍ଯ୍ୟ । ଗତ ବିଧାନସଭା ନିର୍ବାଚନ ପରେ ନିଜକୁ ରାଜନୀତିକୁ ଦୂରେଇବା ସହ ଏହି ପରାଜୟ ଲାଗି ତେଜସ୍ବୀଙ୍କୁ ଦାୟୀ କରିଥିଲେ ସେ । ୨୦୧୫ରେ ପ୍ରଥମ ଥର ଲାଗି ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାସହ ସଡ଼କ ଓ ପୂର୍ତ୍ତ ବିଭାଗ ଦାୟିତ୍ବ ସମ୍ଭାଳି ଥିଲେ । ୨୦୨୨ରେ ପୁଣି ଥରେ ତେଜସ୍ବୀ ନୀତୀଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

