ଦେଶରେ କରୋନା ଭ୍ୟାକ୍ସିନ ନଷ୍ଟ କରିବାରେ ତେଲେଙ୍ଗାନା ଏକ ନମ୍ବର !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାକୁ ଲାଗିଛି । ଏନେଇ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି । କିନ୍ତୁ କରୋନା ସକ୍ରିୟ ମାମଲା ଏବେ ବି ୨ ପ୍ରତିଶତ ରହିଛି ଖାଲି ସେତିକି ନୁହେଁ ମୃତ୍ୟୁ ହାର ମଧ୍ୟ ୨ ପ୍ରତିଶତରୁ କମ୍ ରହିଛି । ପଜିଟିଭିଟି ହାର ମଧ୍ୟ ୫ ପ୍ରତିଶତରୁ କମ୍‌ ରହିଛି । ମନ୍ତ୍ରଣାଳୟ କହିଛି ଯେ, ଗତ ବର୍ଷ ସେପ୍ଟେମ୍ବରରେ ଦେଶରେ ଗୋଟିଏ ଦିନରେ ୯୬ ହଜାର ମାମଲା ସାମ୍ନାକୁ ଆସିଥିଲା ।

ସେହିଭଳି ଗୋଟିଏ ଦିନରେ ସବୁଠାରୁ କମ୍‌ ମାମଲା ୯ ଫେବୃଆରୀ ୨୦୨୧ରେ ରହିଥିଲା । ସେହି ପରଠାରୁ କେତେକ ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ପାଉଥିବା ଦେଖାଯାଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ୪୭ ପ୍ରତିଶତ ସଂକ୍ରମଣ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁ ହାର ୩୭ ପ୍ରତିଶତ ବୃଦ୍ଧି ପାଇଛି । ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ଗତ ୧୫ ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି ।

ସେହିଭଳି ୧୭ଟି ରାଜ୍ୟର ୫୫ଟି ଜିଲ୍ଲାରେ ୧୦୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାଗୁଡ଼ିକ ଦେଶର ପଶ୍ଚିମ ଭାଗରେ ଅଧିକ ଦେଖାଯାଇଛି । ମହାରାଷ୍ଟ୍ର ୬୦ ପ୍ରତିଶତ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୫ ପ୍ରତିଶତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମାର୍ଚ୍ଚ ପହିଲାରେ ୭୭୪୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚ ୧୫ ସୁଦ୍ଧା ତାହା ବୃଦ୍ଧି ପାଇ ୧୩ ହଜାର ୫୨୭ରେ ପହଞ୍ଚିଛି ।

ଦେଶରେ ୫୦ ହଜାର ଡାକ୍ତରଖାନାରେ କରୋନା ଟୀକାକରଣ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି । ସପଟେ ଆମେରିକା ୧୪ ଡିସେମ୍ବରରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ଏବେ ସୁଦ୍ଧା ସେ ୧୦ କୋଟି ଲୋକଙ୍କୁ ଟୀକାକରଣ କରିସାରିଛି । ସେହିଭଳି ଭାରତ ୧୬ ଜାନୁୟାରୀରୁ ଟୀକାକରଣ ଆରମ୍ଭ କରିଥିଲା । ​​ଏବେ ସୁଦ୍ଧା ୩.୬୮ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ଟୀକାକରଣକୁ ନେଇ ଆମ ଦେଶ ବ୍ରିଟେନଠାରୁ ଆଗରେ ରହିଛି । ମାର୍ଚ୍ଚ ୧୫ରେ, ଗୋଟିଏ ଦିନରେ ସାରା ବିଶ୍ୱରେ ୮୦ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଥିଲା, ସେଥିମଧ୍ୟରୁ ଭାରତ ଗୋଟିଏ ଦିନରେ ୩୦ ଲକ୍ଷ ଲୋକଙ୍କୁ ଟୀକାକରଣ କରିଥିଲା ।

‘ତେଲେଙ୍ଗାନା ସର୍ବାଧିକ ଟିକା ନଷ୍ଟ କରିଛି’

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, କେଉଁ ରାଜ୍ୟ କେତେ ଭ୍ୟାକ୍ସିନ୍‌ ନଷ୍ଟ କରିଛି । ଏହି ତାଲିକାରେ ସର୍ବପ୍ରଥମେ ତେଲେଙ୍ଗାନାର ନାଁ ସାମ୍ନାକୁ ଆସିଛି । ଯେଉଁଠି ୧୭.୬ ପ୍ରତିଶତ ଟିକା ନଷ୍ଟ ହୋଇଛି । ତାଲିକାର ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶର । ଏହି ରାଜ୍ୟ ୧୧.୬ ପ୍ରତିଶତ ଟିକା ନଷ୍ଟ କରିଛି । ସେହିଭଳି ତିନି ନମ୍ବର ସ୍ଥାନରେ ଉତ୍ତର ପ୍ରଦେଶ ରହିଛି । ଏହି ରାଜ୍ୟ ୯.୪ ପ୍ରତିଶତ ଟିକା ନଷ୍ଟ କରିଛି । ଚତୁର୍ଥ ନମ୍ବରରେ କର୍ଣ୍ଣାଟକ, ଯେଉଁଠାରେ ୬.୯ ପ୍ରତିଶତ ଟିକା ନଷ୍ଟ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ଭାରତରେ ହାରାହାରି ୬.୫ ପ୍ରତିଶତ ଟିକା ନଷ୍ଟ ହୋଇଛି ।

Leave a Reply