ବର୍ଷା ପରେ ମିଳିବନି ଖରାରୁ ତ୍ରାହି, ୪୫ ଡିଗ୍ରୀ ଛୁଇଁବ ପାରଦ

1 min read

ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ବଦଳିବାରେ ଲାଗିଛି ପାଣିପାଗ ସ୍ଥିତି । ଉତ୍ତର ଭାରତରେ ବାରମ୍ବାର ଟ୍ରପଲାଇନ୍‌ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ରାଜ୍ୟରେ ଏଭଳି ପାଣିପାଗ ବିବିଧତା ଦେଖାଦେଇଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଦଳୁଛି ପାଣିପାଗ । ରାଜ୍ୟରେ ରେକର୍ଡ ଭାଙ୍ଗୁଛି ବର୍ଷା । ବାୟୁମଣ୍ଡଳରେ ବାରମ୍ବାର ସୃଷ୍ଟି ହେଉଛି ଟ୍ରପ୍‌ ଲାଇନ୍‌ । ଉତ୍ତରରୁ ଦକ୍ଷିଣ ମଧ୍ୟରେ ରହୁଛି ଟ୍ରପଲାଇନ୍‌ ପ୍ରଭାବ । ପଶ୍ଚିମରୁ ପୂର୍ବକୁ ନିୟମିତ ଗତି କରୁଛି । ସକାଳେ ରହୁଛି ମେଘମୁକ୍ତ ଆକାଶ । ସନ୍ଧ୍ୟାରେ ଗୁରୁଚାପ ପ୍ରଭାବରେ ଆକାଶରେ ଖେଳୁଛି ବାଦଲ । ପାଣିପାଗରେ ବାରମ୍ବାର ଦେଖାଦେଉଛି ବିବିଧତା । ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ଅନୁଭୂତ ହେଉଛି ବର୍ଷା ପବନ । ଏମିତି ପାଗ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଓଡ଼ିଶା ଉପରେ ପୁଣି ଘୂର୍ଣ୍ଣିବଳୟ ପ୍ରଭାବ ଦେଖାଦେଇଛି । ଉତ୍ତର ଉପକୂଳ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର-ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମେତ ଘଡ଼ଘଡ଼ି ବିଜୁଳି ହେବ । ଏଥିପାଇଁ ୧୪ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ହାରାହାରି ୦.୫ ଡିଗ୍ରୀ ତାପମାତ୍ରା ବଢିବ ବୋଲି ସତର୍କତା ଜାରି ହୋଇଛି । ଏପ୍ରିଲ ଶେଷ କିମ୍ବା ମେ’ମାସ ଆରମ୍ଭ ବେଳକୁ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

Leave a Reply