ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ହେଲାଣି ପାରା, ୪୦ ଡିଗ୍ରୀ ଉପରେ ୮ ସହର

1 min read

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଅଥୟ କରୁଛି ତାତି । ୪୦ ଡିଗ୍ରୀ ଉପରେ ରାଜ୍ୟର ୮ ସହର । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ କାଲି ପ୍ରବଳ ଖରା ପାଇଁ ୭ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି ।

ବିଶେଷକରି ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ତାତି ଅଧିକା ରହିବ । ତେବେ ଏପ୍ରିଲ ୩ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏପ୍ରିଲ ୨ ତାରିଖ ପରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ, ବଲାଙ୍ଗୀରରେ ୪୨.୫ ଡିଗ୍ରୀ, ସୋନପୁରରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ା୪୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୪.୮ ଡିଗ୍ରୀ ଓ କଟକରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।