ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଢ଼ିଲା ଅଡୁଆ

ଇସଲାମବାଦ: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ହୋଇଛନ୍ତି ଇମ୍ରାନ । ଗତ ମେ ୯ ତାରିଖ ହିଂସା ଘଟଣାରେ ଇମ୍ରାନଙ୍କୁ କରାଯାଇଛି ଅଭିଯୁକ୍ତ । ବିଭିନ୍ନ ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ ଏବଂ ବିଦ୍ରୋହ କରିବା ଲାଗି ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଇମ୍ରାନ ହୋଇଛନ୍ତି ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ଯୁଦଣ୍ଡ ମିଳିବାରେ ବ୍ଯବସ୍ଥା ରହିଛି । ଗତ ମେ ୯ରେ ଏକ ଦୁର୍ନୀତି ମାମଲାରେ ପାକିସ୍ତାନ ତେହରିକ ଇ ଇନସାଫ ଅଧ୍ଯକ୍ଷ ଇମ୍ରାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ସରକାରୀ ବିରୋଧୀ ହାଓ୍ବା ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା ।

ଏହି ଘଟଣାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା । ମାତ୍ର ପରେ ସେ ଜାମିନରେ ମୁକୁଳିଥିଲେ । ସେହିଦିନ ରାଓ୍ବଲପିଣ୍ଡିସ୍ଥିତ ସାମରିକ ମୁଖ୍ୟାଳୟ ସମେତ ଅନ୍ଯାନ୍ଯ ସରକାରୀ ପ୍ରତିଷ୍ଠାନ ଉପରେ ଇମ୍ରାନଙ୍କ ସମର୍ଥକ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଏହା ସହ ଲାହୋର କର୍ପସ କମାଣ୍ଡର ହାଉସ ଓ ଅସ୍କାରୀ ଟାଓ୍ବାର ଉପରେ ମଧ୍ଯ ପିଟିଆଇ କର୍ମୀ ହମଲା କରିଥିଲେ । ସେହିଦେଶର ଆଇନ ଅନୁସାରେ ଇମ୍ରାନଙ୍କ ବିରୋଧରେ ଧାରା 120 ବି ସମେତ ଅନ୍ଯାନ୍ୟ ଧାରା ଲାଗିଛି । ଇମ୍ରାନଙ୍କ ବିରୋଧରେ ପ୍ରସ୍ତୁତ ଅଭିଯୋଗପତ୍ରକୁ ଲାହୋର ଆଣ୍ଟିଟେରରିଜିମ୍ କୋର୍ଟରେ ଦାଖଲ କରାଯିବ । ବର୍ତ୍ତମାନ ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଆତୋକ ଜେଲରେ ଗତ ଅଗଷ୍ଟ ୫ରୁ ରହିଛନ୍ତି ।