ଅଘଟଣ ପରେ ଭାଙ୍ଗିଲା ନିଦ: ସରକାରଙ୍କ ଫୋକସରେ ଶୃଙ୍ଖଳିତ ଦିଅଁ ଦର୍ଶନ

1 min read

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ଅଘଟଣ ଓ ବିଶୃଙ୍ଖଳା ପରେ ସରକାରଙ୍କ ଚେତା ପଶିଛି । ପୁରୀକୁ ଯାଉଥିବା ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଦର୍ଶନ କରି ଫେରିବେ ତାହାକୁ ନେଇ ସରକାର ବଡ ଯୋଜନା କରୁଥିବା ଆଇନ ମନ୍ତ୍ରୀ କହିଛନ୍ତି। ଆଇନ ମନ୍ତ୍ରୀଙ୍କ  ଘୋଷଣା ପରେ ବିଜେଡି କହିଛି ସରକାର ବାହାସ୍ଫୋଟ ଛାଡ଼ି ପୁରୀର ବିକାଶ କରନ୍ତୁ । ପୁରୀର ବିକାଶ କାମ ସରକାର ବନ୍ଦ କରିଥିବାରୁ ଅଘଟଣ ଘଟିଲା। କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରି ଚଳିତ ରଥଯାତ୍ରା ପରିଚାଳନା ପାଇଁ ଦାୟୀ କରିଛି ।

ଅଘଟଣ ପରେ ପଶିଲା ଚେତା । ସରକାରଙ୍କ ଫୋକସରେ ଶୃଙ୍ଖଳିତ ଦିଅଁ ଦର୍ଶନ । ବିଜେଡି କହିଲା, ବାହାସ୍ଫୋଟ ଛାଡି କର ବିକାଶ । କଂଗ୍ରେସର କଟାକ୍ଷ, ଚୋରଗଲା ପରେ ପଶିଲା ବୁଦ୍ଧି ।.. ..ଚଳିତ ବର୍ଷ ରଥଯାତ୍ରାରେ ଅଘଟଣ ଓ ମହାବିଭ୍ରାଟ ପାଇଁ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଶରଧାବାଲି ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହେଲେ । ରଥଯାତ୍ରାର ପରିଚାଳନା ଫେଲ ମାରିବାରୁ ନନ୍ଦିଘୋଷ ରଥ ସିଂହଦ୍ଵାରରୁ ଇଞ୍ଚେ ବି ଘୁଞ୍ଚିଲାନି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଦାରୁଣ ଆଘାତ ଲାଗିଲା । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ। ଏହାପରେ ସରକାରଙ୍କ ନିଦ ଭାଙ୍ଗିଛି ।

ଆସନ୍ତା ବର୍ଷ ଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ? ଏପରିକି ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କୁ କିପରି ମ୍ଯାନେଜ କରାଯାଇପାରିବ ସେନେଇ ପ୍ଲାନ ପ୍ରସ୍ତୁତ କରୁଛନ୍ତି ସରକାର । ଆଇନ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲl । ଆଗକୁ ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୂପରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରଶସ୍ତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।

ସେପଟେ ସରକାରଙ୍କ ଏପରି ଏକ ଯୋଜନାକୁ କଟାକ୍ଷ କରିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ରଥଯାତ୍ରାରେ ଅଘଟଣ ପରେ ଅଘଟଣ ଘଟିଗଲା । ରାଜ୍ୟ ସରକାର କେବଳ ବଢ଼ାଚଡା କରି କହୁଛନ୍ତି । ପୁରୀରେ କେତେ ଲୋକ ରଥଯାତ୍ରା ଦେଖିପାରିବେ ତାହାର ରିସର୍ଚ୍ଚ କରାଯାଉଛି । ସତ୍ୟ ପଦାକୁ ଆସିବ। ଏଥର ରଥଯାତ୍ରାରେ ଅଘଟଣ ଘଟିବାର କାରଣ ହେଉଛି ପୁରୀରେ ଯେତେ ସବୁ ବିକାଶ କାମ ହେଉଥିଲା ତାକୁ ବନ୍ଦ କରି ଦିଆଯାଇଛି ।

ଗୋଟେ ପଟେ କାମ ବନ୍ଦ କଲେ। ଅପରପଟେ ଲୋକଙ୍କ ଭାବାବେଗ ସହ ଖେଳିଲେ । ଯାହା ଫଳରେ ଅଘଟଣ ଘଟିଲା। ଯୋଜନା ଠିକ୍ କଲେ ନାହିଁ, କି କାହା ଠାରୁ ଠିକ୍ ପରାମର୍ଶ ନେଲେ ନାହିଁ  । କାରଣ ସେମାନେ ଭାବୁଛନ୍ତି ସବୁ ଜାଣିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଚୋର ଗଲା ପରେ ପୋଲିସ୍ ଆସିଲା । ଘରପୋଡ଼ି ପରେ ଦମକଳ ଆସିବା ପରି କାମ କରୁଛନ୍ତି ରାଜ୍ୟ ସରକାର । ଲୋକେ ମଲା ପରେ ସରକାରଙ୍କ ଚେତାପଶିଲା। କାହିଁକି ରଥଯାତ୍ରା ପୂର୍ବରୁ ସରକାର ଶୃଙ୍ଖଳିତ ବ୍ୟବସ୍ଥା କଲେ ନାହିଁ ? ରଥଯାତ୍ରାରେ ବହୁତ ବଡ଼ ଅଘଟଣ ଘଟିଲା । ଲୋକେ ଅଶାନ୍ତି ହୋଇ ଫେରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଚଳିତ ବର୍ଷ ରଥଯାତ୍ରାକୁ ସରକାର ଯେମିତି ପରିଚାଳନା କରିବା କଥା ତାହା କରିବାରେ ବିଫଳ ହେବା ପରେ ପୁଣିଥରେ ଆଇନ ମନ୍ତ୍ରୀଙ୍କ ବୟାନକୁ ନେଇ ଘେରିଛନ୍ତି ବିରୋଧୀ। କେବଳ କଥା ନୁହେଁ, ସରକାର କାମରେ କରି ଦେଖାନ୍ତୁ ବୋଲି ମୁଖ୍ୟ ବିରୋଧୀ ବିଜେଡି ପରାମର୍ଶ ଦେଇଛି।