କାମ୍ବୋଡିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଅଙ୍କଲ’ ସମ୍ବୋଧନ କରି ନିଲମ୍ବିତ ହେଲେ ଥାଇ ପ୍ରଧାନମନ୍ତ୍ରୀ

1 min read

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ୟାତୋଙ୍ଗତାର୍ନ ଶିନାଓ୍ବାତ୍ରାଙ୍କୁ ସସପେଣ୍ଡ କରାଯାଇଛି । ଦେଶର ସାମ୍ବିଧାନିକ ନ୍ୟାୟାଳୟ ଆଜି ତାଙ୍କୁ ସସପେଣ୍ଡ କରାଯିବା ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏକ ବହୁତ ବଡ଼ ନିଷ୍ପତ୍ତି କୋର୍ଟ ଶୁଣାଇଛନ୍ତି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ୍ ରହିଛି । ଥାଇଲାଣ୍ଡର ମିଡ଼ିଆ ରିପୋର୍ଟସ ମୁତାବକ, ଲିକ୍ ହୋଇଥିବା ଏକ ଟେଲିଫୋନ କଲକୁ ନେଇ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି । କାମ୍ବୋଡିଆ ସହ ସୀମା ବିବାଦକୁ ନେଇ ନିଜର ଭୂମିକାକୁ ନେଇ ମନ୍ତ୍ରୀ ପଦର ନୈତିକତା ଉଲ୍ଲଂଘନ କରିଥିଲେ । ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ୭-୨ ବହୁମତରେ ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ ଅଦାଲତ ବହୁମତ ଆଧାରରେ ନିଷ୍ପତ୍ତି ନେଇ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲି କୁହାଯାଇଛି । ଅଦାଲତ ଏହି ମାମଲାର ଅନ୍ତିମ ଶୁଣାଣି କରିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

ଗତ ମେ’ରେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଘଟିଥିବା ସୀମା ଉତ୍ତେଜନାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା । ଉକ୍ତ ଘଟଣାରେ ଜଣେ କାମ୍ବୋଡିଆ ସୈନିକଙ୍କର ମୃତ୍ୟୁ ଘଟିଥିଲା । ସୀମାରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା କାମ୍ବୋଡିଆ ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ହୁନ ଦେଶର ଜଣେ ପ୍ରଭାବଶାଳୀ ରାଜନେତା ଭାବେ ଜଣାଶୁଣା । ନିକଟରେ ସେହି ଟେଲିଫୋନ କଲର ଏକ ରେକର୍ଡିଂ ଲିକ୍ ହୋଇଯାଇଥିଲା । ସେଥିରେ ଥାଇଲାଣ୍ଡର  ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା ହୁନଙ୍କୁ ’ଅଙ୍କଲ’ କହି ସମ୍ବୋଧିତ କରିଥିଲେ ଓ ଥାଇଲାଣ୍ଡର ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର ’ବିରୋଧୀ’ କହିଥିଲେ । ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦରେ ରହିଥିବା ରୁଢ଼ୀବାଦୀ ସାଂସଦଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ଏହି କଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଥାଇ ସଂସଦର ଏକ ଗ୍ରୁପ ପକ୍ଷରୁ ଯାଚିକା ଦାୟର କରାଯାଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ଶିନାଓ୍ବ୍ରା କୌଣସି ବୟାନ ଜାରି କରିନାହାନ୍ତି ।