ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ

ଆରଡି: ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ । ନିମ୍ନମାନର କାମ ଯୋଗୁ ନଦୀର ଜୁଆର ଢେଉରେ କୋଟିଏ ଟଙ୍କାର କାମ ୧୫ ଦିନରେ ଧୋଇ ଗଲାଣି । ଆତଙ୍କିତ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ । ଆଖଣ୍ଡଳମଣି ଯାଜପୁର ମୁଖ୍ଯ ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା ରହିଛି । ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି ୨ଶହ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି । ବର୍ଷାଋତୁକୁ ଆଖି ଆଗରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ଯୟରେ ବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ଏହାସହ ମାଟି ଯେପରି ଜୁଆର ଓ ବନ୍ଯାପାଣିରେ ଧୋଇ ନଯିବ ସେଥିପାଈଁ ପଥର ପ୍ଯାକିଂ କରାଯାଇଥିଲା । ହେଲେ କାମ ହେବାର ୧୫ଦିନ ଯାଇନାହିଁ, ନଦୀ ମଧ୍ଯକୁ ପଥର ଧସିଯାଇଥିବା ବେଳେ ବନ୍ଧର ବଡବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଷାଠିବାଙ୍କୁଡା ଗାଁ ସହ ପାଖ ବୋଡକ ଗାଁର ନଦୀକୂଳିଆବାସୀ ଏବେ ଭୟଭୀତ ହୋଇପଡିଛନ୍ତି ।

ଆସନ୍ତାକାଲି ପୂର୍ଣ୍ଣିମା ତିଥି ଥିବାରୁ ନଦୀରେ ଜୁଆର ଢେଉ ବୃଦ୍ଧି ପାଇବ । ଯଦି ବନ୍ଧ ସମ୍ପୂର୍ଣ୍ଣ ଧସିଯାଏ, ତାହାଲେ ବନ୍ଧକୁ ଲାଗି ଥିବା ଆଖଣ୍ଡଳମଣି ଯାଜପୁର ଜାତୀୟ ରାଜପଥ ପ୍ରଭାବିତ ହେବା ସହ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।