୨୨ ବର୍ଷରେ କେତେ ବଦଳିଛି ଓଡ଼ିଶା, ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି କହିଲେ 5-T ସଚିବ

1 min read

ରୋମ୍: ଓଡ଼ିଶା ମୋ ପରିବାର । ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲରେ ସୀମିତ ରହିନି। ରାଜ୍ୟବାସୀଙ୍କ ପ୍ରତିଟି ସମସ୍ୟାର ସମାଧାନ କରିବା ସହ, ସଂସ୍କାରମୂଳକ ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇଛି । ରୋମରେ ପ୍ରବାସୀ ଓଡ଼ିଆଙ୍କ ସାକ୍ଷାତ ବେଳେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏ ସଂପର୍କରେ କହିଛନ୍ତି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପ୍ରଥମେ ଏହି ସେକ୍ଟରରେ କାମ ଆରମ୍ଭ କରିଥିଲେ । ରାଜ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକରେ ବାତ୍ୟା ଆଶ୍ରୟ ସ୍ଥଳ, ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବା ପରେ, କ୍ଷୟକ୍ଷତି କମିଲା । ୨୦୦୦ ମସିହା ପରଠାରୁ ବାତ୍ୟା ଆସିଲେ, ସରକାର ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି । ବିଜୁବାବୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ୫୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମହିଳା ଅଛନ୍ତି ।

୧୯୯୭ରେ ରାଜ୍ୟ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏବେ ଓଡ଼ିଶା ଖାଦ୍ୟ ସୁରକ୍ଷାରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ସେହିପରି ରାଜ୍ୟର ୪୫୦୦ ସରକାରୀ ହାଇସ୍କୁଲକୁ ରୂପାନ୍ତର ହୋଇଛି । ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଉଥିଲା । ଏବେ ସ୍ମାର୍ଟ ହେଲଥ କାର୍ଡରେ ଉତ୍ତମ ସ୍ବାସ୍ଥ୍ୟ ସେବା ଦିଆଯାଉଛି । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ମିଳୁଛି । ଏଭଳି ରୂପାନ୍ତରିକରଣ କାର୍ଯ୍ୟ ପାଇଁ ରାଜ୍ୟର ସାମୁହିକ ବିକାଶ ହୋଇପାରିଛି ବୋଲି ୫ଟି-ସଚିବ କହିଛନ୍ତି ।