ତେଲେଙ୍ଗାନାରୁ କେନ୍ଦ୍ର ଉଠାଇଲା ବଳକା ଉଷୁନା ଚାଉଳ, ଓଡ଼ିଶାରୁ କେବେ ?

ଭୁବନେଶ୍ୱର: ରାଜ୍ୟରୁ କେନ୍ଦ୍ର ବଳକା ଉଷୁନା ଚାଉଳ ଉଠାଇବା ପାଇଁ ସଂସଦରେ ପୁଣି ଦାବି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ୍ କହିଛନ୍ତି । ବାରମ୍ବାର ଦାବି ପରେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି । ସଂସଦରେ ଦାବି ଉଠାଗଲା, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ସାଂସଦମାନେ ଭେଟିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଚିଠି ଲେଖିଲେ । କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଲେ, କିନ୍ତୁ ଉଷୁନା ଚାଉଳ ଉଠାଇଲେ ନାହିଁ । ଯେତେବେଳେ କର୍ଣ୍ଣାଟକର ଉଷୁନା ଚାଉଳ ଉଠାଇଥିଲେ । ସେ ସମୟରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ସାଂସଦ ।

ତେଲେଙ୍ଗାନା ସମେତ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ କେବଳ ତେଲେଙ୍ଗାନାର ବଳକା ଉଷୁନା ଚାଉଳ ଉଠାଇ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି । ସଂସଦରେ ଏହି ପ୍ରସଙ୍ଗ ପୁଣି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ କହିଛନ୍ତି।

ସେପଟେ କଂଗ୍ରେସ କହିଛି, ଓଡ଼ିଶା ପ୍ରତି ଏହା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ତେଲେଙ୍ଗାନାର ଉଷୁନା ଚାଉଳ ଉଠିବ, ଓଡ଼ିଶାର କାହିଁକି ନୁହେଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଓଡ଼ିଶାର ବଳକା ଚାଉଳ କିଣିବା ସହ କେନ୍ଦ୍ର ସରକାର ବକେୟା ଅର୍ଥ ପ୍ରଦାନ କରିବାକୁ ଦଳ ଦାବି କରିଛି । ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।