ସ୍ୱପ୍ନକୁ ଭାବିଲେ ସତ, କବର ତଳୁ କାଢିଲେ ଶିଶୁର ମୃତ ଦେହ

1 min read

ଝାରସୁଗୁଡ଼ା: ଆଧୁନିକତାର ଆକାଶକୁ ମାଡିଆସିଛି ଅନ୍ଧବିଶ୍ୱାସର ଅନ୍ଧାର । ସମାଜ ଶିକ୍ଷିତ ହେଉଛି କିନ୍ତୁ ମଣିଷ ନୁହେଁ । କେଉଁଠି ଝଡା ଫୁଙ୍କାର ଗଳି ଭିତରେ ମଣିଷ ହଜି ଯାଉଛି ତ, ଆଉ କେଉଁଠି ସ୍ବପ୍ନକୁ ସତ ବୋଲି ଭାବି ଅଡି ବସୁଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଥିବା ଏକ ଦୃଶ୍ୟ ଯେତିକି ହୃଦୟବିଦାରକ, ସେତିକି ଦୁଃଖଦ ମଧ୍ୟ । ସ୍ୱପ୍ନକୁ ସତ ଭାବି ମୃତ ଶିଶୁକୁ ଶେଷରେ କବର ତଳୁ କାଢି କୋଳରେ ଧରିଲା ମାଆ । କେମିତି ବା ହବନି ଯେ । ସେ ପରା ମାଆ । ୧୦ ମାସର ଦୁଃଖ, ଯନ୍ତ୍ରଣା ପୁଣି କଷ୍ଟକୁ ସହ୍ୟ କରି ଦୁନିଆ ଦେଖାଇଥିବା ମଣିଷ ଟେ କେମିତି ବା ବିଶ୍ବାସ କରିପାରିବ । ତା ପିଲା ସବୁ ଦିନ ପାଇଁ ଶୋଇପଡିଛି ବୋଲି । ହଁ ଆଜ୍ଞା, ଏମିତି ଏକ ଘଟଣା ଘଟିଛି ଝାରସୁଗୁଡାରେ ।

ସ୍ୱପ୍ନାଦେଶର ଚମତ୍କାରିତାରେ ବଶୀଭୂତ ହୋଇ ଜୀବନ-ମୃତ୍ୟୁର ସତ ଜାଣିପାରିଲେନି ମହିଳା ଜଣକ । ଝାରସୁଗୁଡ଼ା କବରାସ୍ତାନପଡ଼ାର ଘଟିଛି ଏଭଳି ଅଭାବନୀୟ ଘଟଣା । ଡିସେମ୍ବର ୧ ତାରିଖରେ ମହିଳା ଜଣଙ୍କର 4 ମାସର ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲା । ମୃତ୍ୟୁ ପରେ ସ୍ଥାନୀୟ ଶ୍ମଶାନରେ ଶିଶୁର ଶେଷକୃତ୍ୟ ବି ସରିଥିଲା । ମାତ୍ର ମହିଳାଙ୍କୁ ସ୍ବପ୍ନାଦେଶ ହୋଇଥିଲା ଯେ, ଶିଶୁଟି କବର ତଳେ ଜୀବିତ ଅଛି ।ଏହାକୁ ସତ ଭାବି ପରିବାର ଲୋକେ ମାଟି ତଳୁ ଶିଶୁର ମୃତଦେହକୁ କାଢିଥିଲେ । ଆଉ ମୃତ ଶିଶୁ ଜୀବିତ ଥିବା ଭାବି କୋଳରେ ଧରି ବସିରହିଥିଲେ ମହିଳା ଜଣଙ୍କ ।

ଏ ନେଇ ଘଟଣା ପ୍ରଘଟ ପରେ ଲୋକଙ୍କ ଭିଡ ମଧ୍ୟ ଘଟଣାସ୍ଥଲରେ ଜମିଥିଲା । ଶେଷରେ ପୋଲିସ ପହଞ୍ଚିଥିଲା । ପରେ ମାଆ ଓ ମୃତ ଶିଶୁଙ୍କୁ ନେଇ ପୁନର୍ବାର ମେଡିକାଲ ନେଇଥିଲା । କିନ୍ତୁ ଡାକ୍ତର ଶିଶୁକୁ ପୁନର୍ବାର ମୃତ ଘୋଷଣା କରିଥିଲେ । ହେଲେ ଏବେବି ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ସେପଟେ ଆଧୁନିକତା ଦୁନିଆରେ ସ୍ୱପ୍ନାଦେଶକୁ ସତ ଭାବି ଏଭଳି ଅଭାବନୀୟ ଘଟଣା ଘଟିବା, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

Leave a Reply