ବାହାଘର ଆଗରୁ କନିଆ ଫେରାର, ୧୩ ଦିନ ଯାଏ ବେଦିରେ ଅପେକ୍ଷା କଲା ବର

1 min read

ନନ୍ଦିଘୋଷ ବ୍ୟୁରୋ: ବେଦୀ ପ୍ରସ୍ତୁତ । ବର ବି ପ୍ରସ୍ତୁତ । ଧୁମଧାମରେ ବରଯାତ୍ରୀଙ୍କୁ କରାଯାଉଛି ସ୍ୱାଗତ । କିଛି ସମୟ ପରେ କନ୍ୟା ଆସିବ, ମନ୍ତ୍ରଧ୍ୱନୀରେ ପଡିବ ହାତଗଣ୍ଠି। ସାତ ଜନମର ସାଥୀ ପାଲଟିବେ ଦୁଇ ଅଜଣା ମଣିଷ। ହେଲେ ମୁହୁର୍ତ୍ତକରେ ସବୁକିଛି ଓଲଟପାଲଟ ହୋଇଗଲା। କେହି ଭାବିପାରୁନଥିଲେ, କନ୍ୟା ପ୍ରେମିକ ସହ ଛୁ ହୋଇଯାଇଛି ବୋଲି…

ଏକ ସିନେମାର କାହାଣୀ ପରି ଲାଗୁଥିବା ଏହି ଘଟଣା ରାଜସ୍ଥାନ ପାଲି ଜିଲ୍ଲାରେ ଘଟିଛି ।  ସୈଣା ଗାଁର ସକାରାମଙ୍କ ଝିଅ ମନିଷାଙ୍କ ବିବାହ ମଣାଦର ଗାଁର ଶ୍ରବଣ କୁମାରଙ୍କ ସହ ସ୍ଥିର ହୋଇଥିଲା । ବ୍ୟାଣ୍ଡ୍‌ ବାଜା ସହ ଶ୍ୱଶୁର ଘରେ ପହଞ୍ଚିଥିଲେ ବରପକ୍ଷ ।  ବରଯାତ୍ରୀଙ୍କୁ ଧୁମଧାମ୍‌ରେ ସ୍ୱାଗତ କରିବା ପରେ ସମସ୍ତ ରୀତିନୀତି ଶେଷ ହୋଇସାରିଥିଲା । ମେ ୪ ତାରିଖ ସକାଳେ ବାହାଘର ପାଇଁ କନ୍ୟାକୁ ମଣ୍ଡପକୁ ଡକାଯାଇଥିଲା। ଏହାପୂର୍ବରୁ ପେଟ ଯନ୍ତ୍ରଣା ଓ ବାନ୍ତି ବାହାନା କରି ନିଜ ପ୍ରେମିକ ସହିତ ଫେରାର ମାରିଥିଲା କନ୍ୟା । ଏହା ଜାଣିବା ପରେ ପରିବାର ଲୋକ ମୁଣ୍ଡରେ ହାତ ଦେଇଥିଲେ । ପେଟ ଖରାପ ବାହାନା ପଛରେ କନ୍ୟାର ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କେହି ଟେର୍ ପାଇଲେନି।

ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ ହେବାକୁ ଥିବା କନ୍ୟା ଯେ ଏମିତି କରିବ, କେହି ଭାବି ପାରୁନଥିଲେ । ଆଉ ଏପଟେ ଘଟଣାକୁ ସହଜରେ ଗ୍ରହଣ କରିପାରିଲେନି ବର… କନ୍ୟାକୁ ନେଇକି ହିଁ ବିଦା ହେବେ ବୋଲି ସଫାସଫା କହିଦେଲେ । ସ୍ଥିତି ଏଭଳି ହେଲା ଯେ ୧୩ ଦିନ ଯାଏ ଶ୍ୱଶୁର ଘରେ ବସିରହିଲେ ବର ଓ ତାଙ୍କ ପରିବାର । ସେମିତି ହିଁ ସଜା ହୋଇ ରହିଥିଲା ବାହାବେଦୀ । ଏପରିକି ସେ ବେଦିରେ ମୁକୁଟ ପିନ୍ଧି ବସି ରହି ରହିଥିଲେ । ଏଥିରେ କନ୍ୟାପକ୍ଷଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା ।

ଶେଷରେ ବାଧ୍ୟ ହୋଇ ଝିଅକୁ ଖୋଜିବାରେ ଲାଗିଥିଲେ ପରିବାର। ପରେ ମେ ୧୫ ତାରିଖ ବେଳକୁ ଝିଅ ତା’ ପ୍ରେମୀ ସହ ଗୁଜୁରାଟରେ ଥିବା ଜଣାପଡିଥିଲା । ଯାହାପରେ ଝିଅକୁ ବୁଝାସୁଝା କରି ଆଣିଥିଲେ ପରିବାର ଲୋକେ ।  ପରେ ରୀତିନୀତିରେ ବିବାହ ସମ୍ପନ୍ନ ହେବାସହ ମେ ୧୬ରେ ବର-କନ୍ୟାକୁ ବିଦା କରାଯାଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।