ସମ୍ବାଦ ଋଣ ଠକେଇ ମାମଲାରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ

ଭୁବନେଶ୍ୱର : ସମ୍ବାଦ ଋଣ ଠକେଇ ମାମଲାରେ ବଢୁଛି ଅଭିଯୋଗର ଫର୍ଦ୍ଦ । ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆଜି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ଏବେ ତଦନ୍ତ ଚାଲିଛି ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି ବୋଲି ଇଓ଼ଡବ୍ଲୁ ପକ୍ଷରୁ କୁହାଯାଇଛି । ସମ୍ବାଦ ବ୍ୟାଙ୍କ ସ୍କାମର ଦ୍ବିତୀୟ ଦିନ ଜେରାରେ ମହା ଖୁଲାସା କରିଛି ଇଓଡବ୍ଲୁ । ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଛି । ଜେରା ସମୟରେ ସମ୍ବାଦ ଭବନରୁ ମିଳିଛି ଅନେକ ସନ୍ଦେହଜନକ ଦସ୍ତାବେଜ । ଯୋଜନାବଦ୍ଧ ଭାବେ ଏହି ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃଦ୍ଧି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି । ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି ।

ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ନୟାପଲ୍ଲୀ ଶାଖାରୁ ଏହି ଋଣ ଉଠାଯାଇଛି । ସବୁ କର୍ମଚାରୀଙ୍କ ନାଁରେ ୫ଲକ୍ଷ ଟଙ୍କାର ଋଣ କରାଯାଇଛି । ଘର ତିଆରି କିମ୍ବା ଘର ମରାମତି ନାଁରେ ଏହି ଋଣ ଉଠାଯାଇଛି । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କରେ କର୍ମଚାରୀଙ୍କ ଜାଲ ସାଲାରୀ ସ୍ଲିପ ଦାଖଲ କରିଛନ୍ତି । ପ୍ରକୃତ ଦରମା ଠାରୁ ଦୁଇଗୁଣା କିମ୍ବା ତାଠାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ ହୋଇଛି । କିଛି କର୍ମଚାରୀଙ୍କୁ ଦୁଇରୁ ତିନି ଥର ଋଣ କରିବାକୁ ବାଧ୍ୟ କରାଯାଇଥିଲା । କୌଣସି କର୍ମଚାରୀଙ୍କୁ ମାସିକ ସାଲାରୀ ସ୍ଲିପ ଦିଆଯାଉନଥିଲା । କର୍ମଚାରୀଙ୍କ ପାଇଁ ଇଷ୍ଟର୍ଣ୍ଣ ମିଡିଆ ଋଣ ବାବଦ ଇଏମଆଇ ଦାଖଲ କରୁଥିଲା । ପ୍ରତ୍ୟେକଟି ଋଣ ୬୦ଟି ଇନଷ୍ଟାଲମେଣ୍ଟରେ ଶୁଝାଯାଉଥିଲା । ସମ୍ବାଦ ଛାଡିବା ପରେ ମଧ୍ୟ କର୍ମଚାରୀଙ୍କ ନାଁରେ ଉଠାଯାଇଥିବା ଋଣ ଉପରେ ସମ୍ବାଦ ଇଏମଆଇ ଦାଖଲ କରିଛି । ସମ୍ବାଦରେ ଏଭଳି ବ୍ୟାଙ୍କ ସ୍କାମ ବର୍ଷ ବର୍ଷ ଧରି ଚାଲୁଛି । ଏହା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି କହିଛି ଇଓଡବ୍ଲୁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।