କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଅର୍ଥନୈତିକ ମେରୁଦଣ୍ଡ କେନ୍ଦୁପତ୍ର । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଛନ୍ତି ନବୀନ । ଏହାପୂର୍ବରୁ ଗତ ନଭେମ୍ବର ୨୫ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।