କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲଟି ସ୍ପେଶିଆଲିଟି ହସ୍ପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲଟି ସ୍ପେଶିଆଲିଟି ହସ୍ପିଟାଲ୍ ଉଦଘାଟନ କରିଛନ୍ତି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇ ପାରିବେ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ । ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିରାମୟ ଆଦି ଯୋଜନାର କାର୍ଯ୍ୟକାରିତା ଯୋଗୁ ଗରିବ ଲୋକମାନେ ବିନା ମୂଲ୍ୟରେ ଉତ୍ତମ ଚିକତ୍ସା ଓ ଔଷଧ ପାଇ ପାରୁଛନ୍ତି ।

ବଲାଙ୍ଗୀରରେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ସହିତ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହୋଇଛି । ପ୍ରତି ବର୍ଷ ରାଜ୍ୟରୁ ୨ହଜାରରୁ ଅଧିକ ଡାକ୍ତର ବାହାରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ସାଂସଦ ବସନ୍ତ ପଣ୍ଡା, ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଥିଲେ ।