ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ପଛପାଖେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ବିରାଟ କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ୨୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି । ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆଜି ଅପରାହ୍ନରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି ।

ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି । ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଉତ୍କଳ ହସ୍ପିଟାଲ ସମେତ ଶାନ୍ତିପଲ୍ଲୀରେ ୫୬୦ ଘର ଏବଂ ସବୁଦ୍ଧିପୁରରେ ୨୯୬ଟି ଘର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିବେ । ଲୋକାର୍ପଣ ପୂର୍ବରୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ , ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି।