ବଜେଟ୍‌ ୨୦୨୧କୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା, ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶକୁ ଗୁରୁତ୍ୱ

1 min read

ଭୁବନେଶ୍ୱର: ୨୦୨୧-୨୨ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋଭିଡ ପରେ ଏହା ହେଉଛି ପ୍ରଥମ ବଜେଟ । ଅନେକ ନୂଆ ଆହ୍ୱାନ ରହିଛି ଯାହାକୁ ଏହି ବଜେଟ୍ ବିଚାରକୁ ନେବ ବୋଲି ଆଶା କରାଯାଉଥିଲା ।

ତେବେ ବଜେଟରେ କିଛି ସକରାତ୍ମକ ବିନ୍ଦୁ ରହିଛି । ଯେମିତି ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପ । ବିକାଶମୂଳକ ଆର୍ଥିକ ସଂସ୍ଥାନର ପୁନଃ ପ୍ରଚଳନ । କୋଭିଡ୍ ଟିକା ପାଇଁ ଅର୍ଥ ଅନୁଦାନ । ଶିଳ୍ପ ଓ ନିର୍ଦ୍ଦିଷ୍ଟ ସେକ୍ଟର ହସ୍ତକ୍ଷେପ ଆଶା ସୃଷ୍ଟି କରିବ ଯଦି ଉପଯୁକ୍ତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ । ଅଭିବୃଦ୍ଧି ପାଇଁ ବିତ୍ତିୟ ନିଅଣ୍ଟ ବୃଦ୍ଧି ଏକ ସାହାସିକ ପଦକ୍ଷେପ । ଆତ୍ମନିର୍ଭର ଭାରତ ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ଓ ଲମ୍ବା ଅବଧିର ଦୂରଦୃଷ୍ଟି ।

ମୁଖ୍ୟମନ୍ତ୍ରୀ ବଜେଟର ସକରାତ୍ମକ ବିନ୍ଦୁକୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରୀୟ ଟିକସରେ ଅଂଶ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୦ ହଜାର ୮ଶହ ୪୦କୋଟି ଟଙ୍କା ହ୍ରାସ ପାଇବା ଯୋଗୁ ଓଡ଼ିଶା ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ଏହାସହ ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ । ଏହା ରାଜ୍ୟ ଉପରେ ଅନେକ ପ୍ରଭାବ ପକାଇବ ।

ଉଭୟ ରାଜପଥ ଏବଂ ରେଳପଥ ପାଇଁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ଲାଗୁ ଦ୍ୱାରା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ଆର୍ଥିକ ସନ୍ତୁଳନ ଦୁର୍ବଳ ହେବାର ସମ୍ଭାବନା ରହିଛି । ମହିଳା, କୃଷକ ଏବଂ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କମାନେ ଅଧିକ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଆବଶ୍ୟକ ।

ଏହା ସହ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାର ଡିଜିଟାଲ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଯାହା ଓଡ଼ିଶା ଗତ ବର୍ଷଠାରୁ କରି ଆସୁଛି । କେନ୍ଦ୍ର ସରକାର ମଧ୍ୟ ମିଶନ ଶକ୍ତି ତଥା ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହା ଅତ୍ୟନ୍ତ ଖୁସିର କଥା । ୨୦୧୧-୧୨ରେ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମମତା ଯୋଜନା କରାଯାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ଦେଶ ପାଇଁ ବେଞ୍ଚମାର୍କ ପାଲଟିଛି ।

Leave a Reply