ପ୍ରଳୟଙ୍କରୀ ତୁର୍କୀ ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁର ଗ୍ରାଫ୍, ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ପାର୍

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ତୁର୍କୀ  ଭୂକମ୍ପରେ ବଢ଼ି ଚାଲିଛି ମୃତ୍ୟୁର ଗ୍ରାଫ୍ । ମୋଟ ମୃତ୍ୟୁ ସଂଖ୍ୟା ହୋଇଛି ୨୧ ହଜାର । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଫସିଥିବା ସୂଚନା ମିଳିଛି । ୭୦ରୁ ଅଧିକ ରାଷ୍ଟ୍ରର ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ସେପଟେ ତୁର୍କୀରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଜଣେ ୬ ବର୍ଷ ବୟସ୍କା ବାଳିକା ନାସରିନଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ । ଗାଜିଆନଟେପ ଅନ୍ତର୍ଗତ ନୁରଦାଗିର ଏକ ଭଗ୍ନ କୋଠା ଭିତରେ ଜଣେ ବାଳିକା ଚାପି ହୋଇରହିଥିବା ସୂଚନା ପାଇବା ମାତ୍ରେ ଏନଡିଆରଏଫ ଟିମ୍ ସାଜିଥିଲେ ଦେବଦୂତ । ତାଙ୍କୁ ଉଦ୍ଧାର କରି ଭାରତୀୟ ଆର୍ମି ଦ୍ବାରା ପ୍ରତିଷ୍ଠିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅପରେସନ ଦୋସ୍ତ ପର୍ଯ୍ୟାୟରେ ତୁର୍କୀରେ ନିଜର କରିସ୍ମା ଦେଖାଇବାରେ ଲାଗିଛନ୍ତି ଭାରତର ୫୧ ଜଣିଆ ସାହସୀ ଟିମ୍ । ତେଣେ ତୁର୍କୀକୁ ବଢ଼ିଛି ସହାୟତାର ହାତ । ବିଶ୍ବବ୍ଯାଙ୍କ ପକ୍ଷରୁ ୧.୭୮ ବିଲିୟନ ଡଲାରର ସହାୟତା ଘୋଷଣା କରାଯାଇଥିବାବେଳେ ଆମେରିକା ୮୫ ନିୟୁତ ଡଲାର ସହାୟତା ଲାଗି ଘୋଷଣା କରିଛି । ଭୟାନକ ଭୂକମ୍ପଜନିତ କ୍ଷତି ପରିମାଣ ୪ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।