spot_img

Latest Posts

ଦେଶର ତିନୋଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମର ଗାଙ୍ଗପୁର ଥାନାକୁ ପୁରସ୍କୃତ କରିବେ ଗୃହମନ୍ତ୍ରୀ

ସଫଳ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ରାଜ୍ୟରେ ସଫଳ ହେଉଛି ପୋଲିସ୍ ସଂସ୍କାର। ଉତ୍ତମ ସେବା ସହ ଲୋକଙ୍କୁ ମିଳୁଛି ନ୍ୟାୟ। ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡ଼ା ପରେ ପୋଲିସ ବିଭାଗ ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ ବିକଶିତ ଓଡ଼ିଶାର ଛବି ଦେଖିବାକୁ ପାଉଛନ୍ତି। ରାଜ୍ୟରେ ପୋଲିସ ସଂସ୍କାରକୁ ଏବେ ମିଳିଛି କେନ୍ଦ୍ର ସରକାରଙ୍କ ସ୍ୱୀକୃତି। ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଦେଶର ତିନୋଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଭୁକ୍ତ ହୋଇଛି।

ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌ ସ୍ଥିତ କେନ୍ଦ୍ରୀୟ ପୋଲିସ ମୁଖ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ। ଗାଙ୍ଗପୁର ଥାନା ଆଇଆଇସି ଧୀରେଶ ଦାଶ ସାମିଲ ହୋଇ ଟ୍ରଫି ଗ୍ରହଣ କରିବାକୁ ଏଡିଜି ଗଞ୍ଜାମ ଏସପିଙ୍କୁ ପତ୍ର ଲେଖିଛନ୍ତି। ଅପରାଧ ନିୟନ୍ତ୍ରଣ, CCTNSରେ କେସ୍ ରେଜିଷ୍ଟ୍ରେସନ୍‌, ଏନ୍‌ଫୋର୍ସମେଣ୍ଟ, ସ୍ଵଚ୍ଛତା, ଜନସାଧାରଣଙ୍କ ମତାମତ ଆଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା।

ସେଥିରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଟପ୍ – ୩ ମଧ୍ୟରେ ରହିଛି। ଏହା ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି। ରାଜ୍ୟ ସରକାର ପୋଲିସ ବିଭାଗକୁ ଅଧିକ କ୍ରିୟାଶୀଳ କରି ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ଯୋଗାଇବାକୁ ଅନେକ ପ୍ରୟାସ କରୁଛନ୍ତି। ତାହାର ଫଳସ୍ୱରୂପ ଏଭଳି ସଫଳତା ମିଳିପାରିଛି ବୋଲି କହିଛନ୍ତି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ।

କରୋନା ମହାମାରୀ ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ ଏନ୍‌ଫୋର୍ସମେଣ୍ଟ୍ ଭଳି କର୍ତ୍ତବ୍ୟ ସାଙ୍ଗକୁ ପୋଲିସ ନିଜ ସାମାଜିକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ସାଧାରଣ ଜନତାଙ୍କ ପ୍ରିୟ ଭାଜନ ହୋଇଛି।

Latest Posts

Don't Miss