ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୟଙ୍କର କାଣ୍ଡ, ଔଷଧ ବଦଳରେ ଢାଳିଲେ ଏସିଡ୍‌

1 min read
Mayurbhanj

ମୟୂରଭଞ୍ଜ: ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୟଙ୍କର କାଣ୍ଡ । ମହିଳାଙ୍କର ଗର୍ଭନିରୋଧକ କପର-ଟି ଖୋଲିବା ପରେ ଔଷଧ ବଦଳରେ ଢାଳିଦେଲେ ଏସିଡ୍‌ । ମହିଳା ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ ସ୍ୱାମୀ ମାନସ କୁମାର ନାୟକଙ୍କ ସହ ଶାନ୍ତିଲତା ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ କପର-ଟି ଖୋଲିବାକୁ ଯାଇଥିଲେ ।

ହେଲେ ସେଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ନିର୍ମଳା, ମହିଳାଙ୍କ ଶରୀରରୁ କପର-ଟି ବାହାର କରିବା ପରେ ତ୍ରୁଟିପୂର୍ଣ୍ଣ ଭାବେ ଔଷଧ ବଦଳରେ ଏସିଡ୍‌ ବ୍ୟବହାର କରିଥିଲେ । ଫଳରେ ଶାନ୍ତିଲତା ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଶାନ୍ତିଲତାଙ୍କୁ ତୁରନ୍ତ ବାରିପଦା ପିଆରଏମ୍ ହସ୍ପିଟାଲ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି । ଏହି ତ୍ରୁଟିକୁ ଉକ୍ତ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ସ୍ଵୀକାର କରିଥିବା ଶାନ୍ତିଲତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି । ସେପଟେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖକୁ ଆସିନଥିଲେ । ଏନେଇ କୌଣସି ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ଅମଙ୍ଗ ।

Leave a Reply