ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ମାରିଲା ସ୍ବାମୀ

ଗୋଆ : ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ମାରିଲା ସ୍ବାମୀ । ହତ୍ୟାକୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ଦେଇଥିଲା ରୂପ । ଗୋଆରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଦକ୍ଷିଣ ଗୋଆରେ ଥିବା ଏକ ହୋଟେଲର ମ୍ୟାନେଜର ଏଭଳି କାଣ୍ଡ ଘଟାଇଛି। ମାମଲାରେ ୨୯ ବର୍ଷୀୟ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି ଗୋଆ ପୋଲିସ ।ଗତ ଶୁକ୍ରବାର ଘଟିଥିଲା ଏ ହତ୍ୟାକାଣ୍ଡ । ଅଭିଯୁକ୍ତ ମ୍ୟାନେଜର ଗୌରବ କଟିଆର ବୋଲି ଜଣାପଡିଛି । ୨୭ ବ ର୍ଷୀୟା ପତ୍ନୀ ଦୀକ୍ଷା ଗଙ୍ଗୱାର ସମୁଦ୍ରରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା କହିଥିଲା । ତେବେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା ଏକ ଭିଡିଓ । ଏହି କାଣ୍ଡ ଘଟୁଥିବାବେଳେ ସେତେବେଳେ ଜଣେ ବ୍ୟକ୍ତି କ୍ୟାମେରାରେ ସମସ୍ତ କାରନାମାର ଭିଡିଓ ସୁଟିଂ କରିଥିଲା । ଶୁକ୍ରବାର ଅପରାହ୍ନ ୩ଟା ୪୫ ମିନିଟରେ ଘଟିଥିଲା ଏ ହତ୍ୟାକାଣ୍ଡ। ଗୌରବ ପତ୍ନୀ ଦୀକ୍ଷାଙ୍କୁ ସମୁଦ୍ର କୂଳରେ ଥିବା ଏକ ପଥୁରିଆ ଅଂଚଳକୁ ଯାଇ ସମୁଦ୍ର ମଧ୍ୟକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି।

ଏହାପରେ ସେଠାରେ ପତ୍ନୀ ବୁଡିଯାଇଥିବା ପାଟି କରି ହଙ୍ଗାମା କରୁଛି। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ ସୁଟ୍ କରିଥିଲା। ପତ୍ନୀ ଦୀକ୍ଷା ପାଣିରେ ବୁଡିଯିବା ପରେ ସ୍ବାମୀ ଗୌରବ ସମୁଦ୍ର କୂଳରୁ ବାହାରକୁ ଆସୁଛି । ଏବଂ ଆଉଥରେ ପୁଣି ଯାଇ ସମୁଦ୍ର କୂଳକୁ ଯାଇ ପତ୍ନୀ ଜୀବିତ ନା ମୃତ ଦେଖୁଛି  । ଏହାପରେ ପୁଣି ଥରେ ସମୁଦ୍ର କୂଳରୁ ଆସି ପତ୍ନୀ ବୁଡିଯାଇଥିବା ନେଇ ହଙ୍ଗାମା କରୁଛି। ଦୀକ୍ଷାଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ବୋଲି ଜଣାପଡିଛି । ବର୍ଷକ ତଳେ ବିବାହ କରିଥିଲା ଅଭିଯୁକ୍ତ ମ୍ୟାନେଜର ଗୌରବ କଟିଆର। ତେବେ ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ।