ଏହି ତିନୋଟି ଧର୍ମର ଲୋକଙ୍କୁ ଶୁଭଫଳ ଦେବ ଏପ୍ରିଲ ମାସ

ଚୈତ୍ର ନବରାତ୍ରିର ତୃତୀୟ ଦିନରେ ଧୁମଧାମରେ ମା’ଙ୍କ ପୂଜାର୍ଚ୍ଚନା ଚାଲୁଥିବା ବେଳେ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀଙ୍କର ରମଜାନ ମାସ ଆରମ୍ଭ ହୋଇସାରିଛି । ଏଥିସହ ୪୦ ଦିନର ଉପବାସ ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଏପ୍ରିଲ ୧୫ରେ ଧୁମଧାମରେ ପାଳନ କରିବେ ଗୁଡ ଫ୍ରାଇଡେ । ହିନ୍ଦୁ, ମୁସଲିମ୍ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ମାସଟି ଖୁବ୍ ଶୁଭ ଏବଂ ଲାଭପ୍ରଦ ।

ନବରାତ୍ରିର ୯ ଦିନ : ଏପ୍ରିଲ ୨ରେ ଭାରତୀୟ ସନାତନ ଧର୍ମରେ ନବବର୍ଷର ଆରମ୍ଭ ସହିତ ଚୈତ୍ର ନବମୀର ଶୁଭାରମ୍ଭ ହୋଇଥାଏ । ଏହାକୁ ୯ ଦିନ ପାଳନ କରାଯାଇ ୧୦ ତାରିଖରେ ଏହା ସମାପନ ହୋଇଥାଏ । ଏହି ୯ ଦିନ ଧରି ଭକ୍ତ ଉପବାସ ରଖିବା ସହ ମା’ ଦୁର୍ଗା ନବମୀର ୯ ଦିନ ଭିନ୍ନ ଭିନ୍ନ ବେଶ ଧାରଣ କରନ୍ତି । ଚଳିତ ନବବର୍ଷରେ ହୋମଯଜ୍ଞ ସହ ମା’ ଦୁର୍ଗାଙ୍କ ସପ୍ତସତୀ ପାଠ କରାଯିବ । ଉପବାସ ରଖିଥିବା ହିନ୍ଦୁ ଧର୍ମାବଲମ୍ୱୀ ଭକ୍ତ, କନ୍ୟା ସନ୍ତାନଙ୍କୁ ଭୋଜନ କରାଇ ନିଜ ବ୍ରତ ଭଙ୍ଗ କରିବେ । ଏହା କରିବା ଦ୍ୱାରା ମା’ଙ୍କ ଆଶିର୍ବାଦ ଲାଭ ହୋଇଥାଏ ।

ମସଜିଦରେ ସ୍ୱତନ୍ତ୍ର ନମାଜ ପାଠ : ଏପ୍ରିଲ ୩ରେ ରମଜାନର ଶୁଭାରମ୍ଭ ହୋଇସାରିଥିବା ବେଳେ ଏହା ପରଦିନ ଅର୍ଥାତ୍, ଏପ୍ରିଲ୩ରୁ ଆରମ୍ଭ ହୋଇଛି ରୋଜା । ଚଳିତ ବର୍ଷ ମେ ୩ରେ ପାଳନ ହେବ ମୁସଲିମଙ୍କ ବଡ଼ ପର୍ବ ଇଦ୍ ଏଥିସହ ସ୍ୱତନ୍ତ୍ର ନମାଜ ପାଠ କରାଯିବ । ପରିବାରରେ ସୁଖୃସମୃଦ୍ଧି ବୃଦ୍ଧି ସହ ସମସ୍ତଙ୍କ ମଙ୍ଗଳ କାମନା କରିବାକୁ ଅଲ୍ଲାଙ୍କୁ ସ୍ମରଣ କରାଯିବ । ଏହି ମାସ ମୁସଲିମ୍ ସମ୍ପ୍ରଦାୟର ଲୋକେ ସପରିବାର କୋରାନ ପାଠ କରିଥାନ୍ତି । ଅନ୍ୟ ମାସ ଅପେକ୍ଷା ରମଜାନ ମାସ ୭୦ଗୁଣ ଅଧିକ ପ୍ରଭାବଶାଳୀ । ମୁସଲିମ୍ ଧର୍ମରେ ଏହି ମାସ ଅର୍ଥାତ୍ ଏପ୍ରିଲ ମାସକୁ ସବୁଠୁ ପବିତ୍ର ମାସ ଭାବେ ମନେ କରାଯାଏ । ରମଜାନ ମାସରେ ଦିନକୁ ୫ଥର ନମାଜ ପାଠ କରାଯାଏ ।

 

ଖ୍ରୀଷ୍ଟିଆନଙ୍କ ଗୁଡ ଫ୍ରାଇଡେ : ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ୪୦ ଦିନର ଉପବାସ ରଖି ଗୁଡ ଫ୍ରାଇଡେ ପାଳନ କରନ୍ତି । ଏପ୍ରିଲ ୧୫ ତାରିଖରେ ଏହି ଉପବାସ ଭଙ୍ଗ କରାଯାଏ । ଦୀର୍ଘ ୪୦ ଦିନର ଉପବାସ ପରେ ଯିଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିବା ସହ ବିଗତ ବର୍ଷରେ କରିଥିବା ନିଜର ସମସ୍ତ ଭୁଲ ପାଇଁ ଯିଶୁଙ୍କୁ କ୍ଷମା ପ୍ରାର୍ଥନା କରିଥାନ୍ତି । ଭଗବାନ ଯିଶୁ ମାନବ ସେବାରେ ଲିପ୍ତ ହେବା ପୂର୍ବରୁ ୪୦ ଦିନର ଉପବାସ ରଖିଥିଲେ । ଏହାପରେ ସେ ନିଜର ସାରା ଜୀବନ ସେବା କାର୍ଯ୍ୟରେ ନିୟୋଜିତ କରିଥିଲେ । ତେଣୁ ଯିଶୁଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଖ୍ରୀଷ୍ଟିଆନ ଲୋକେ ୪୦ ଦିନର ଉପବାସ ପାଳନ କରନ୍ତି ।