ରେଳଧାରଣରୁ ବଣିକ ସଂଘର ସଭାପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀରରେ ରେଳ ଧାରଣରୁ ସୁନା ଦୋକାନୀ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତକ ହେଲେ ତ୍ରିପୁରାରି ପାଣିଗ୍ରାହୀ । ସେ ଜିଲ୍ଲା ବଣିକ ସଂଘର ସଭାପତି ବି ଥିଲେ । ବଲାଙ୍ଗୀରର ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ ତ୍ରିପୁରାରି  । ଆଜି ରେଳ ଧାରଣାରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।  ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ  ରେଲୱ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତଦେହ ନିକଟରୁ ତ୍ରିପୁରାରିଙ୍କ ମୋବାଇଲ ମିଳିଛି । ରାତି ପ୍ରାୟ ୧୧ଟା ପରେ ପାରିବାରିକ ବଚସା ପରେ ଘରୁ ବାହାରି ଆସିଥିବା ନେଇ ସୂଚନା ମିଳିଛି । ଏପରିକି ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଜି ସକାଳ ପ୍ରାୟ ୬ଟା ୪୫ରେ ବଲାଙ୍ଗୀର ଜିଆରପି ପୋଲିସ ମୃତଦେହକୁ ରେଳଧାରଣା ନିକଟରୁ ଠାବ କରାଯାଇଥିଲା । କେସ ନମ୍ବର ୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ତ୍ରିପୁରାରି ପାଣିଗ୍ରାହୀ ବିଗତ ୧୦ ବର୍ଷ ଧରି ବଲାଙ୍ଗୀର ବଣିକ ସଂଘର ସଭାପତି ଥିଲେ । ଏହା ସହ ଜଣେ ସଫଳ ଓ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଥିଲେ । ତାଙ୍କର ଏହିଭଳି ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି ।