spot_img

Latest Posts

ଆଜି ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଞ୍ଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ଏହା ମୋହନ ସରକାରର ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଏଥି ସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କଠାରୁ ୧୨ ହଜାର ମତ ମିଳିଥିଲା। ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଫେବୃଆରୀରେ ହୋଇଥିବା ବଜେଟ ଆକଳନ ଠାରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧୦ ପ୍ରତିଶତ ବଢିବ ବୋଲି ଅର୍ଥନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।

Latest Posts

Don't Miss