ଅପପ୍ରଚାରକାରୀଙ୍କ ଅସଲ ରୂପକୁ ଚିହ୍ନିଛନ୍ତି ରାଜ୍ୟବାସୀ: ନବୀନ

1 min read

ହିଞ୍ଜିଳି : ଅପପ୍ରଚାରକାରୀଙ୍କ ଅସଲ ରୂପକୁ ଚିହ୍ନିଛନ୍ତି ରାଜ୍ୟବାସୀ । ଯୋଡି ଶଂଖ ଓଡିଶା ବିକାଶର ପରିଚୟ । ତେଣୁ ଯୋଡି ଶଂଖକୁ ଆଶିର୍ବାଦ କରି ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡିକୁ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଂଜିଳି ପରେ ଶେରଗଡରେ ୨୦୨୪ ନିର୍ବାଚନ ପାଇଁ ବିଜେଡିର ଜୟଯାତ୍ରାକୁ ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ବିଜୟର ଶଂଖ ଧ୍ବନୀ ସହ ଓଡିଶାରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶେରଗଡବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାଢେ ଚାରି କୋଟି ଲୋକ ହେଉଛନ୍ତି ମୋ ପରିବାର । ଏହି ସାଢେ ଚାରି କୋଟି ପରିବାରର କଲ୍ୟାଣ ପାଇଁ ସେ ସବୁବେଳେ କାମ କରିଚାଲିଛନ୍ତି ଓ ଶେଷ ପର୍ଯ୍ୟନ୍ତ କାମ କରିବେ ବୋଲି କହିଛନ୍ତି । ହିଂଜିଳି ଓ ଶେରଗଡ ସାରା ଦେଶ ପାଇଁ ବିକାଶର ମଡେଲ । ହିଂଜିଳି ଓ ଶେରଗଡରୁ ହିଁ ଆରମ୍ଭ ହୋଇଛି ଫାଇଭ-ଟି ସ୍କୁଲ, ମେଡିକାଲ ଓ ହଷ୍ଟେଲ ରୂପାନ୍ତରଣ କାମ । ହିଂଜିଳି ଓ ଶେରଗଡ ହଁ ସାରା ରାଜ୍ୟକୁ ମନ୍ଦିର ରୂପାନ୍ତରଣର ରାସ୍ତା ଦେଖାଇଛି । ଓଡିଶାରେ ଏବେ ଚାଷୀମାନେ ଓ ଏସଏଚଜି ମହିଳାମାନେ ବିନା ସୁଧରେ ଋଣ ପାଉଛନ୍ତି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିବାରେ ଓଡିଶା ପ୍ରଥମ ରାଜ୍ୟ । ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ସ୍ବତନ୍ତ୍ର ୟୁଥ ବଜେଟ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ହିଁ ଓଡିଶାର ପରିଚୟ ଏବଂ ୨୦୩୬ରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି । କିନ୍ତୁ ବିରୋଧି ସବୁ କଥାରେ ରାଜନୀତି କରୁଛନ୍ତି । ବିକାଶକୁ ବିରୋଧ କରୁଛନ୍ତି । ସବୁ ବେଳେ ବିକାଶ କାର୍ଯ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏକାମ୍ର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପ ସବୁଠି ବିରୋଧୀଙ୍କ ବିକାଶ ବିରୋଧୀ ମନୋବୃତିକୁ ସାରା ବିଶ୍ବ ଦେଖିଛି । କିନ୍ତୁ ଓଡିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ ଓ ବିଜେଡିର ବିଜୟ ଧାରା ଜାରି ରହିବ ।  ଯୋଡି ଶଂଖ ହେବ ଓଡିଶା ବିକାଶର ପରିଚୟ । ଏହି ଅବସରରେ ଫାଇଭ ଟି ଅଧ୍ୟକ୍ଷ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।