ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ । ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରିଚାଳନା କମିଟି ସେବାୟତ ସଦସ୍ୟ ତଦାରଖ କରିବେ । ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ନହେବ ସେ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ନାଟମଣ୍ଡପର ଗୋଟିଏ ବିମରେ ଫାଟ ଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଆଉ କେଉଁ ବିମରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କହିଛି ଏଏସାଆଇ । ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ଏବଂ ହବିଷ୍ୟାଳୀଙ୍କ ସମାଗମ ହେଉଛି । ତେଣୁ କାର୍ତ୍ତିକ ମାସ ପରେ ନାଟ ମଣ୍ଡପ ମରାମତି କରିବାକୁ ଏଏସାଆଇକୁ ଆହୁରି ପର୍ଯ୍ୟାପ୍ତ ସମୟ ଦିଆଯିବ ।

ସେହିପରି ଜରାଜୀର୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ ମଧ୍ୟ ନିର୍ମାଣ କରାଯିବ । ଏଥିପାଇଁ ମଧ୍ୟ ଆଜିଠୁ କାର୍ଯ୍ୟ ଆରମ୍ଭ ହେଉଛି  । ରତ୍ନପଲଙ୍କ ପାଇଁ ଆବଶ୍ୟକ ରୂପା ଜଣେ ଦାତା ଦେଇଥିବାବେଳେ ଏହାକୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ରତ୍ନ ପଲଙ୍କ ନିର୍ମାଣ ହେବା ପରେ ଏହି ରୁପାକୁ ସେଥିରେ ଆଚ୍ଛାଦିତ କରାଯିବ । ଓଡ଼ିଆ ନୂଆ ବର୍ଷରେ ନୂଆ ରତ୍ନ ପଲଙ୍କରେ ମହାପ୍ରଭୁ ଶୟନ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ଠାକୁରଙ୍କ ପ୍ରଭା କାର୍ଯ୍ୟ ମଧ୍ୟ ଆଜିଠୁ ଆରମ୍ଭ କରାଯାଉଛି  ।