ଆଜି ପ୍ରଦାନ କରାଯିବ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣ ପାଇବେ ପଦ୍ମଶ୍ରୀ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର । ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୬ ଜଣ ପଦ୍ମବିଭୂଷଣ, ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପାଇବେ ପଦ୍ମଶ୍ରୀ ପୁରସ୍କାର । ସେହିପରି କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି।
ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ସମ୍ମାନ ପାଇବେ । ରଙ୍ଗବତୀ ଗୀତର ଗାୟିକା କ୍ରିଷ୍ଣା ପଟେଲ । ସେହିପରି କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯିବ । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।