ଶ୍ରୀମନ୍ଦିର ସିଂହଦ୍ବାରର କରାଯାଉଛି ରୂପା ଛାଉଣୀ, ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ପୂର୍ବରୁ ସରିବ କାମ

ପୁରୀ: ବାହୁଡ଼ିବେ ଶ୍ରୀଜିଉ । ସୁନ୍ଦର ହେଉଛି ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରୂପା ଛାଉଣୀ କାମ । ସିଂହଦ୍ବାରରେ ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଲଗାସରିଛି । ସେଥିରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି ।

ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଆଜି ରାତି ସୁଦ୍ଧା ରୂପା ଛାଉଣୀ ସରିବାକୁ ଲକ୍ଷ୍ୟ ରଖାଯାଇଛି । ରୂପା ଛାଉଣୀ ହୋଇଗଲେ ସିଂହଦ୍ବାର ସୁନ୍ଦର ଦିଶିବ । କାଲି ଭକ୍ତ ଦେଖିବେ ସିଂହଦ୍ବାରର ନୂତନ ସୁନ୍ଦର ରୂପା । ମୂଳ ସିଂହଦ୍ୱାର ଭଳି ମାପ, ଓଜନ, ଡିଜାଇନ ଓ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଅବିକଳ ଭାବେ ସିଂହଦ୍ୱାର ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ୍ କରି ଭକ୍ତଙ୍କ ପାଇଁ କଟକଣା ଲଗାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।