ଜଳୁଛି ପଶ୍ଚିମ ଓଡ଼ିଶା, ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୨ଟି ସହରର ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ବିଶ୍ବ ଉତ୍ତପ୍ତ ସହର ତାଲିକାରେ ଭାରତର ଏହି ଦୁଇଟି ସହର ସ୍ଥାନ ପାଇଥିଲା । ଗତକାଲି ଝାରସୁଗୁଡ଼ା ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲାବଳେ ସମ୍ବଲପୁର ବିଶ୍ବର ୧୫ ତମ ଉତ୍ତପ୍ତ ସହର ପାଲଟିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର ।

ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଉପକୂଳରେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ତାଣ୍ଡବ ରଚିବ । ସେପଟେ ଆଜି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ଲଘୁଚାପ ସମୁଦ୍ର ମଝିରେ ରହିବ ନା ସ୍ଥଳଭାଗ ଆଡ଼କୁ ଆସିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହେଲାପରେ ଏହାର ପ୍ରଭାବ ଆକଳନ କରାଯାଇପାରିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର କହିଛି । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ଉତ୍ତର ପୂର୍ବ ବଙ୍ଗୋପସାଗର ନଯିବାକୁ ପରାମର୍ଶ ଦିଆଯାଇଛି ।