‘ରାଜ୍ୟରେ ଡେ’ କର୍ଫ୍ୟୁ ଲାଗୁ ହେବାର କୌଣସି ଯୋଜନା ନାହିଁ’

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଡେ’ କର୍ଫ୍ୟୁ ଲାଗୁ ହେବାର କୌଣସି ଯୋଜନା ନାହିଁ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ତେଣୁ ଡେ’ କର୍ଫ୍ୟୁ ଲାଗୁ ହେବାର ବର୍ତ୍ତମାନ ଯୋଜନା ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ତେବେ ପରିସ୍ଥିତିକୁ ନଜରରେ ରଖି କଟକଣା ମାନି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଲାଗୁ ହୋଇପାରେ କର୍ଫ୍ୟୁ । ୩ ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ପୂର୍ବରୁ କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହାପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଡେ’ କର୍ଫ୍ୟୁକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ସରକାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଉ ୪୭୧ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

Leave a Reply