ବୈଜୟନ୍ତ ଏବେ କେନ୍ଦ୍ରାପଡ଼ାର ନୁହଁନ୍ତି କି କେନ୍ଦ୍ରର ନୁହଁନ୍ତି

ଭୁବନେଶ୍ବର: ଉତ୍ତର ପ୍ରଦେଶ ପ୍ରଭାରୀ ହୋଇ ବି କାହିଁକି ୟୁପି ଯାଉନାହାନ୍ତି ବୈଜୟନ୍ତ ପଣ୍ଡା । ୟୁପିକୁ ଯିବାକୁ କିଏ କରିଛି ଆକଟ । ଗୋଟିଏ ରାଜ୍ଯର ପ୍ରଭାରୀ ହୋଇ ବି ସେହି ରାଜ୍ଯର ନିର୍ବାଚନ ସମୟରେ ନଯିବାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । କୁହାଯାଉଛି ବୈଜୟନ୍ତ ଏବେ କେନ୍ଦ୍ରାପଡ଼ାର ନୁହଁନ୍ତି କି କେନ୍ଦ୍ରର ନୁହଁନ୍ତି ।

ବୈଜୟନ୍ତ ନା ଏବେ କେନ୍ଦ୍ରାପଡ଼ାର ହେଉଛନ୍ତି ନା କେନ୍ଦ୍ର ପଚାରୁଛି । ବିଜେପିରେ ବ୍ଯାକ ଡୋର୍ ଏଣ୍ଟ୍ରି ସ୍ବପ୍ନରେ ହିଁ ରହିଯାଇଛି । ଜଣେ ବେପାରୀ ରାଜନେତା, ଆତ୍ମଘୋଷିତ ଲୋକପ୍ରିୟ ନେତା । ବିଜେଡିରେ ଗୁଜବକାରୀର ଭୂମିକା ନିଭାଇ ବିଦା ହେବା ପରେ ବୈଜୟନ୍ତଙ୍କ କାତ ମାପି ସାରିଛି ବିଜେପି । କେନ୍ଦ୍ରାପଡ଼ାରୁ ଦେଢ ଲକ୍ଷରୁ ଅଧିକ ଭୋଟରେ ହାରିବା ପରେ ଜୟଙ୍କ ପାରିବା ପଣିଆ କାହାକୁ ବି ଅଛପା ନାହିଁ । ମିଡିଆ ଓ ଶିଳ୍ପପତିର ବହପ ଦେଖାଇ ସିନା ରାଷ୍ଟ୍ରୀୟ ଉପାଧ୍ଯକ୍ଷ ଚଉକିରେ ବସିପଡ଼ିଛନ୍ତି ହେଲେ କ୍ଷମତା ରାଜନୀତିରେ ବୈଜୟନ୍ତଙ୍କୁ ଚଉକିଟିଏ ଦେବାକୁ ବି ରାଜି ନାହିଁ ବିଜେପି ।

ଓଡ଼ିଶା ରାଜନୀତିରେ ପ୍ରାସଙ୍ଗିକତା ରଖି ନଥିବା ବୈଜୟନ୍ତ, ୨୦୧୯ରୁ ଲଗାତାର ଭାବେ ବିଜେପିର ରାଜ୍ଯସଭା ଲଡୁକୁ ଅନାଇ ବସିଛନ୍ତି । ଆସାମ ପ୍ରଭାରୀର ଦାୟିତ୍ବ ତୁଲାଇ ମନେ ମନେ ରାଜ୍ଯସଭା ମୁଆଁ ଖାଇ ବସିଥିଲେ । ଆସାମରେ ଚା’ ବଗିଚାରେ ଖୁବ ବୁଲିଲେ, ହେଲେ ଜୟଙ୍କ ପାଟିରେ କିନ୍ତୁ ରାଜ୍ଯସଭା ଚା’ କପେ ବାଜିଲାନି । ଏଥର ୟୁପିକୁ ଗଲେ ଯେ ଜୟଙ୍କ କୁପିନ୍ ଛଡାଇ ନେଲେ ଯୋଗୀ । ବୈଜୟନ୍ତ ଭାବିଥିଲେ ଯୋଗୀଙ୍କ ରନୱେରେ ହେଲିକପ୍ଟର ଲ୍ଯାଣ୍ଡ କରାଇବେ । ହେଲେ ଏମର୍ଜେନ୍ସି ଲ୍ଯାଣ୍ଡିଂ ପାଇଁ ବି ଯୋଗୀ ଦେଲେନି ଅନୁମତି । ଦେଶର ଏକମାତ୍ର ନେତା ବୈଜୟନ୍ତ ଯିଏ ପ୍ରଭାରୀ ହୋଇ ବି ଦିନକ ପାଇଁ ୟୁପିର ମାଟି ମାଡି଼ ପାରିଲେନି । ଏନସିସି କମିଟିର ଅଧ୍ଯକ୍ଷ ଓ ବିଜେପି ମହିଳା ମୋର୍ଚ୍ଚା ଭଳି ପତିଆରା ନଥିବା ସଂଗଠନର ପ୍ରଭାରୀ ଦାୟିତ୍ବ ଦେଇ ବୈଜୟନ୍ତଙ୍କୁ ଭୁତେଇ ଦେଇଛି ବିଜେପି । ଆଉ ନିର୍ବାଚନ ଲଢିବାକୁ ଚାହୁଁ ନଥିବା ଅଲୋଡ଼ା ବୈଜୟନ୍ତଙ୍କୁ ଠେଲି ପେଲି କେନ୍ଦ୍ରାପଡ଼ା ମାଟିକୁ ପଠାଇ ଦେଇଛି ।

ଏବେ ପୁଣି କେନ୍ଦ୍ରାପଡ଼ା ଆକାଶରେ ପଇଁତରା ମାରୁଛି ବୈଜୟନ୍ତରଙ୍କ ଚପ୍ପର । ନା ଲ୍ଯାଣ୍ଡିଂ କରିପାରୁଛି ନା କେନ୍ଦ୍ରର ରନୱେକୁ ଫେରି ପାରୁଛି । କାରଣ କେନ୍ଦ୍ରପଡାରେ ବିଜେଡି କରୁଛି ବିଜୟର କାଳବୈଶାଖୀ । ନବୀନଙ୍କ ବିକାଶ ପବନରେ ଦୋହଲୁଛି ଜୟଙ୍କ ଦଦରା ହେଲିକପ୍ଟର । ଟୁଇଟର ନେତାଙ୍କ ଟାଉଟର ଚରିତ୍ର ବିଜେପିର ଟପ୍ ନେତା ଜାଣିବା ପରେ ଟିମ ବିଜେପି ବି ଏକ୍ସଟ୍ରା ପ୍ଳେୟାର ତାଲିକାରୁ ତାଙ୍କୁ ବାଦ୍ ଦେଇସାରିଛି ।

ଏପଟେ ଓଡ଼ିଶା ବିଜେପିରେ ବି ବୈଜୟନ୍ତଙ୍କ ଅସ୍ଥିତ୍ବ ବି ଗ୍ରହଣୀୟତା ନାହିଁ । ରାଜ୍ଯ ରାଜନୀତିରେ ଧର୍ମେନ୍ଦ୍ରଙ୍କ ସହ ଜୟଙ୍କ ଅହିନକୁଳ ସଂପର୍କ । ଅପରାଜିତାଙ୍କ ଛାଇ ପଡ଼ିଲେ ତାଙ୍କର ନାହି ଡିଏଁ । ରାଜ୍ୟ ନେତାଙ୍କ ପାଇଁ ସେ ଆଗରୁ ହିଁ ଅଛୁଆଁ । ଏଣୁ ବିଜେପିକୁ ଯିବା ବେଳେ ଭାୟା ଦିଲ୍ଲୀ ଦେଇ ଓଡ଼ିଶା ସ୍ବପ୍ନ ଦେଖିଥିଲେ ଜୟ । ହେଲେ ଏବେ ସବୁ ସ୍ବପ୍ନ ଚୁରମାର୍ ହୋଇଯାଇଛି । ଜୟ ନା ଏ କୂଳର ହେଉଛନ୍ତି ସେ କୂଳର । ନିଜ ଘରୋଇ ମାଲିକାନାରେ ଥିବା ଟିଭି ଚ୍ଯାନେଲ ଓ ଟୁଇଟର ଛଡ଼ା ତୃତୀୟ ଭରସା ହିଁ ନାହିଁ । ଏପଟେ କେନ୍ଦ୍ରାପଡ଼ାରେ ପକ୍କା ପରାଜୟ ସମ୍ଭବନା ବି ଜଳଜଳ ଦିଶୁଛି । ଏଭଳି ପରିସ୍ଥିତିରେ ବୈଜୟନ୍ତ ପୂରା ବାଉଳା ଅବସ୍ଥାରେ । ସେଥିପାଇଁ କେବେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ଆଉ ଟୁଇଟରରେ ଆବୁରୁ ଚାବୁରୁ ଗପୁଛନ୍ତି । ହେଲେ ବାସ୍ତବ ସତ ହେଉଛି ବୈଜୟନ୍ତ ପଲିଟିକାଲ କ୍ଯାରିୟରର ଦି ଏଣ୍ଡ ହୋଇସାରିଛି ।