ମଣିପୁରରେ ତଥାପି ଥମୁନି ହିଂସା, ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି

ଇମ୍ଫାଲ: ମଣିପୁରରେ ତଥାପି ଥମୁନି ହିଂସା । ଅନେକ ସ୍ଥାନରେ ଜାରି ରହିଛି ସଂଘର୍ଷ । ସେନା ମୁତୟନ ସତ୍ତ୍ୱେ ଉତ୍ତେଜନା ଥମୁନଥିବାରୁ ଇଣ୍ଟରନେଟ ସେବା କଟକଣାକୁ ଆଜି ଯାଏ ବୃଦ୍ଧି କରାଯାଇଛି । ସେପଟେ କୁକୀଙ୍କ ଲାଗି ସ୍ୱତନ୍ତ୍ର ପ୍ରାଶାସନିକ ଅଞ୍ଚଳ ଗଠନ କରିବା ଲାଗି ବିଜେପିର ୮ ଓ କୁକୀ ସମ୍ପ୍ରଦାୟର ୨ ବିଧାୟକଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ମେତେଇ ଓ କୁକୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ସେନା ସଜାଗ ଦୃଷ୍ଟି ରଖିଛି । ହ୍ବାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ଟ୍ୱିଟର ଆଦି ଜରିଆରେ ପ୍ରସାରିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ତେଣେ ମଣିପୁରରେ ହିଂସା ପ୍ରତିବାଦରେ ଦିଲ୍ଲୀରେ ମଣିପୁରବାସୀ ଧାରଣା ଦେଇଛନ୍ତି ।  ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ରାଜ୍ୟର ୧୦ଟି ପର୍ବତାଞ୍ଚଳରେ ହିଂସା ଯୋଗୁ ୬୦ ଲୋକଙ୍କ ପ୍ରାଣହାନି ହୋଇଥିବାବେଳେ ୧୭୦୦ରୁ ଅଧିକ ଗୃହଦାହ କରାଯାଇଛି । ବିଭିନ୍ନ ଘଟଣାରେ ୧୩ ହଜାରରୁ ଅଧିକ ଲୋକ ଗୃହହୀନ ହୋଇ ସେନା ଶିବିରରେ ଆଶ୍ରୟ ନେଇଛନ୍ତି । ଶାନ୍ତି ରକ୍ଷା ଲାଗି ସେନା, ରାପିଡ ଆକ୍ସନ ଫୋର୍ସ ଓ ଆସାମ ରାଇଫଲ୍ସକୁ ସଜାଗ ରଖାଯାଇଛି । ରାଜ୍ୟର ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ । ରାଜ୍ୟରେ ମେତେଇଙ୍କ ସଂଖ୍ୟା ୫୩ ପ୍ରତିଶତ ହୋଇଥିବାବେଳେ ନାଗା ଓ କୁକୀଙ୍କ ଆଦିବାସୀଙ୍କ ସଂଖ୍ୟା ରହିଛି ୪୦ ପ୍ରତିଶତ । ବର୍ତ୍ତମାନର ନିୟମ ଅନୁସାରେ ଇମ୍ଫାଲ ଭ୍ୟାଲି ଅଞ୍ଚଳରେ ମେତେଇମାନେ ଆଦିବାସୀ ବହୁଳ ପାର୍ବତ୍ୟାଞ୍ଚଳରେ ଜାଗା କିଣିପାରିବେ ନାହିଁ । ମାତ୍ର ଆଦିବାସୀମାନେ ସେଠାରେ ଜମି କିଣିପାରିବେ ।