ବିମାନଯାତ୍ରା ପାଇଁ କାଳ କୁହୁଡ଼ି, ସପ୍ତାହେ ହେଲାଣି ବିମାନଯାତ୍ରୀ ହଟହଟା

1 min read

ଭୁବନେଶ୍ୱର: ଡିସେମ୍ବରରୁ ଫେବ୍ରୁଆରୀ। ତିନି ମାସ ବିମାନଯାତ୍ରାକୁ ଘନଉଛି ବିପଦ। ପ୍ରତିବର୍ଷ କୁହୁଡ଼ି ଯୋଗୁ ବିମାନ ଅବତରଣ ଓ ଟେକ୍ ଅପ୍ କରିହେଉନି। ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ। ଚଳିତ ବର୍ଷ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରୁ ଭୁବନେଶ୍ବର ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି ପାସେଞ୍ଜର। ଖାଲି ସେତିକି ନୁହେଁ ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ କନେକ୍ଟିଂ ଫ୍ଲାଇଟରେ ୪ରୁ ୫ ଗୁଣ ଅଧିକ ଟିକେଟ୍ ଭଡ଼ା ପଡୁଛି । ପ୍ରତିକୂଳ ପାଗ ଉପରେ କାହାର ନିୟନ୍ତ୍ରଣ ନାହିଁ।

କିନ୍ତୁ କୁହୁଡ଼ି ସମୟରେ ଯାତ୍ରୀ କିପରି ଅଧିକ ମୂଲ୍ୟ ଦେଇ ଟିକେଟ୍ ନ କିଣିବେ ସେଥିପାଇଁ ଡିଜିସିଏ ଦାୟୀ। ବାରମ୍ବାର ଡିଜିସିଏକୁ ଟିକେଟର ସର୍ବୋଚ୍ଚ ଦର ସବୁ ବିମାନ କମ୍ପାନୀଙ୍କ ପାଇଁ ଧାର୍ଯ୍ୟ କରିବାକୁ ଅନୁରୋଧ କରାଯାଉଛି । କିନ୍ତୁ ଏ ଦିଗରେ ଏପର୍ଯ୍ୟନ୍ତ ଡିଜିସିଏ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଯାତ୍ରୀ ଫି ବର୍ଷ ଅଧିକ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି।

ଗତ ସପ୍ତାହେ ହେଲାଣି ଡାଇରେକ୍ଟ ଫ୍ଲାଇଟର ଟିକେଟ୍ କ୍ୟାନସଲ ହେଉଛି । ଏ ନେଇ ଯାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି । ଟୁର୍ ଅପରେଟରମାନେ ବି ଯାତ୍ରୀଙ୍କୁ ସୁବିଧା ଅନୁଯାୟୀ ଟିକେଟ୍ ଯୋଗାଇପାରୁନାହାନ୍ତି । ଯାତ୍ରୀଙ୍କ ପାଇଁ ଭଲ ସୁବିଧା ଦେଉଥିବା ବିମାନ କମ୍ପାନୀ ଅଧିକ ଅର୍ଥ ବି ଚାର୍ଜ୍ କରୁଛନ୍ତି । ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରରେ ଲୋ-ଭିଜିବିଲିଟିରେ ବିମାନ ଅବତରଣ ଓ ଟେକ୍ ଅପ୍ ପାଇଁ କ୍ୟାଟ୍-୩ ବ୍ୟବସ୍ଥା ହୋଇନାହିଁ । ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ଭିତ୍ତିଭୂମି ବିକାଶ ନ କଲେ କୁହୁଡ଼ି ସମସ୍ୟା ଯୋଗୁଁ ଭୁବନେଶ୍ବରରେ ଅବତରଣ କରିବାକୁ ଥିବା ବିମାନ କୋଲକାତାରେ ଯାତ୍ରୀ ଅବତରଣ କରିବାକୁ ବାଧ୍ୟ ହେଉଛନ୍ତି ।