ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା, ଫ୍ରାନ୍ସ-ଜର୍ମାନୀରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକରେ ୫୬୭୩ ଜଣ କରୋନା ଆକ୍ରାନ୍ତ ହେବା ଖବର,  ଦିଲ୍ଲୀବାସୀଙ୍କୁ ଏହା ଚିନ୍ତାରେ ପକାଇଛି । ଏତେ ସଂଖ୍ୟାରେ ସଂକ୍ରମଣକୁ ନେଇ କେହି କେହି ଏହାକୁ କରୋନା ସଂକ୍ରମଣର ତୃତୀୟ ଲହରି ବୋଲି କହୁଛନ୍ତି । ତେବେ ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ ଶୀଘ୍ର ଏହାକୁ କରୋନାର ତୃତୀୟ ଲହରୀ ବୋଲି କୁହାଯାଇନପାରେ । ଏଭଳି ଆଶଙ୍କା କରିବା ଉଚିତ୍‌ ନୁହେଁ ।

ଅନ୍ୟପଟେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଆଗକୁ ଶୀତ ଲହରୀ ଆସୁଛି ତେଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଶୀତ ଯେତେ ଅଧିକ ରହିବ ସଂକ୍ରମଣ ସେତେ ଅଧିକ ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସଂକ୍ରମଣରୁ ବଞ୍ଚିବାକୁ ହେଲେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ।

ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଲଗାତାର ଭାବେ ରେକର୍ଡ ସଂଖ୍ୟକ ସଂକ୍ରମଣ ରାଜଧାନୀ ପାଇଁ ନିହାତି ଏକ ଚିନ୍ତାଜନକ ବିଷୟ । ଯେତେବେଳେ ଜାତୀୟ ସ୍ତରରେ କରୋନା ସଂକ୍ରମଣ ହ୍ରାସ ପାଉଛି ସେତେବେଳେ ଦିଲ୍ଲୀରେ କେରଳ ଭଳି ସ୍ଥିତି ଉପୁଜିଛି । ଏହା ଭଲ ସଂକେତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଥଣ୍ଡା ଦିନ ଆରମ୍ଭ ହୋଇଯାଇଛି । ଏହି ଋତୁରେ କରୋନା ସଂକ୍ରମଣ ନେଇ ଜାତୀୟ ସଂସ୍ଥା ଆଗରୁ ସତର୍କ କରିସାରିଛି । ତେଣୁ ଆମେ ରଣନୀତିରେ ପରିବର୍ତ୍ତନ କରିଛୁ । ଯେତେବେଳେ ଜଣେ ସଂକ୍ରମଣ ଚିହ୍ନଟ ହେଉଛନ୍ତି ସେତେବେଳେ ତାଙ୍କ ପୂରା ପରିବାରର ପରୀକ୍ଷା କରାଯାଉଛି । ଦିଲ୍ଲୀରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ଓ ଜର୍ମାନୀରେ କରୋନାର ତୃତୀୟ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଦେଶ ପୁଣିଥରେ ଲକଡାଉନ ଓ ସଟଡାଉନ୍ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି ।

ଅନ୍ୟପଟେ ଭାରତରେ ଦିନକରେ ୪୯ ହଜାର ୮୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ଲକ୍ଷ ୪୦ହଜାର ୨୦୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୬ଲକ୍ଷ ୩ହଜାର ୬୮୭ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୩ଲକ୍ଷ ୧୫ହଜାର ୯୮୯ଜଣ । କରୋନାରେ ୧ ଲକ୍ଷ ୨୦ହଜାର ୫୨୭ଜଣଙ୍କ ମୃତ୍ୟୁ ହେଲାଣି । ମହାରାଷ୍ଟ୍ରରେ ସର୍ବାଧି ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୩ ହଜାର ୫୫୪ରେ ପହଞ୍ଚିଛି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ହେଲାଣି । କେରଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୦ହଜାର ୧୩ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି ।

Leave a Reply