ଅଟକାଇ ହେବନି, ନିଶ୍ଚିତ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ କେହି ଅଟକାଇ ପାରିବେ ନାହିଁ । ନିଶ୍ଚିତ ଆସିବ କରୋନାର ତୃତୀୟ ।ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏଭଳି ସମୟରେ କରୋନାର ବୁଷ୍ଟର ଡୋଜ ଦିଆଯିବା ନେଇ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ଏପଟେ ଦେଶ ପରେ ଦେଶ ଓ ରାଜ୍ୟ ପରେ ରାଜ୍ୟକୁ ଡେଇଁବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଏବେ ସୁଦ୍ଧା ୭୭ ଦେଶରେ ଓମିକ୍ରନ ଉପସ୍ଥିତି ଜାହିର କରି ସାରିଛି ।  ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ବି ଏହା ଧିରେ ଧିରେ ବଢ଼ିବାରେ ଲାଗିଛି ।  ବିଶେଷ କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ଚିହ୍ନଟ ଚିନ୍ତା ବଢ଼ାଇଛନ୍ତି । ମହାରାଷ୍ଟ୍ରରେ ଆଉ ୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୪ ଓ ତେଲେଙ୍ଗାନା ୨ ଜଣଙ୍କୁ ଚିହ୍ନଟ କରାଯାଇଛି ।

ତାମିଲନାଡ଼ୁରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ନାଇଜେରିଆରୁ ଫେରିଥିଲେ । କେରଳରେ ଆଉ ଚାରି ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଷରେ ଆସିଥିବା ୭ ଜଣଙ୍କୁ ସଂଗରୋଧରେ ରଖାଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 70ରେ ପହଞ୍ଚିଛି । ସେପଟେ ପଶ୍ଚିମବଙ୍ଗରେ ଓମିକ୍ରନ ପଶିଲା ପରେ ବଢିଲା ଓଡ଼ିଶାର ଟେନସନ୍ । ମୁସିଦାବାଦ୍ ଜିଲ୍ଲା ଫରକ୍କା ଅଞ୍ଚଳ ଜଣେ ଶିଶୁ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁ ଜଣକ ଆବୁଧାବିରୁ ଆସି ହାଇଦ୍ରାବାଦ ବିମାନ ବନ୍ଦରରେ ଓହ୍ଲାଇ ଥିଲେ । ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି ।

ସେପଟେ ବ୍ରିଟେନରେ ସଂକ୍ରମଣ ବଢୁଥିବା ବେଳେ ହସ୍ପିଟାଲରେ ବି ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । କରୋନା କଟକଣା କଡ଼ାକଡ଼ି ଅନୁପାଳନ କରିବା ସହ ସମସ୍ତେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଦକ୍ଷିଣ କୋରିଆରେ ବି କରୋନାକୁ ନେଇ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ।

Leave a Reply