ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଏକ ବଡ଼ ବିକ୍ଷୋଭ

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟାରିଫ ନାଁରେ ସାରା ବିଶ୍ବକୁ ନାଲି ଆଖି ଦେଖାଉଥିବା ବେଳେ ନିଜ ଦେଶରେ ପଡ଼ିଛନ୍ତି ହରଡଘଣାରେ । ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ପୁଣି ହୋଇଛି ଏକ ବଡ଼ ଧରଣର ଆନ୍ଦୋଳନ। ସମସ୍ତ ପ୍ରମୁଖ ସହରରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ । ଟ୍ରମ୍ପଙ୍କ ବିଭିନ୍ନ ନୀତିକୁ ଜୋରଦାର ବିରୋଧ କରି ଆମେରିକାବାସୀ ବଡ଼ ଧରଣର ବିକ୍ଷୋଭ କରିଛନ୍ତି ।

ବିଶେଷ କରି ବେଆଇନ ବିଦେଶୀଙ୍କୁ ନିଷ୍ଠୁର ଭାବେ ଦେଶାନ୍ତର କରିବା, ଗାଜା ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ, ପ୍ରମୁଖ ଫେଡେରାଲ୍ ବିଭାଗଗୁଡ଼ିକୁ ବନ୍ଦ କରିବା, LGBTQ ବିରୋଧୀ ଆଇନ ପ୍ରତିବାଦରେ ସେମାନେ ଆନ୍ଦୋଳନ କରିଛନ୍ତି । ନ୍ୟୁୟର୍କ, ୱାଶିଂଟନ ଡିସି, ସାନ ଫ୍ରାନ୍ସିସ୍କୋ, ବୋଷ୍ଟନ ପରି ସମସ୍ତ ପ୍ରମୁଖ ସହରରେ ଆନ୍ଦୋଳନ କରାଯାଇଛି। କିଛି ଦିନ ଦଳେ ‘ହ୍ୟାଣ୍ଡସ୍ ଅଫ୍’ ନାମରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଏକ ବିରାଟ ଆନ୍ଦୋଳନ କରାଯାଇଥିଲା । ତେବେ ଦ୍ଵିତୀୟ ଆନ୍ଦୋଳନର ବୈଶିଷ୍ଟ୍ୟ ହେଲା ଟ୍ରମ୍ପ ଓ ତାଙ୍କ ନୀତି ପ୍ରତିବାଦ ସହିତ ପାଲେଷ୍ଟାଇନବାସୀ ଓ ସମଲିଙ୍ଗୀ ସମ୍ପ୍ରଦାୟଙ୍କ ଆମେରିକାବାସୀଙ୍କ ସମର୍ଥନ ।

ଆନ୍ଦୋଳନକାରୀ କହିଛନ୍ତି, ଆମେରିକାରେ ରାଜତନ୍ତ୍ର ଚାଲିନି । ଏଠାରେ କୌଣସି ରାଜା ନାହାନ୍ତି । କୌଣସି ଭୟ ନାହିଁ, ପ୍ରବାସୀମାନଙ୍କୁ ଆମେରିକାକୁ ସ୍ଵାଗତ ବୋଲି ସ୍ଲୋଗାନ ଦେଇଛନ୍ତି ବିକ୍ଷୋଭକାରୀ । କେତେକ ଆନ୍ଦୋଳନକାରୀ ଟ୍ରମ୍ପଙ୍କୁ ନାଜି ହିଟଲରଙ୍କ ସହିତ ତୁଳନା କରିଛନ୍ତି । ସାଧାରଣ ଲୋକଙ୍କୁ ଅଧିକ କ୍ଷମତା ଦିଆଯାଉ । ସରକାରଙ୍କ ହାତରେ କାହିଁକି ଅଧିକ କ୍ଷମତା ରହିବ ବୋଲି ଆମେରିକାବାସୀ ପ୍ରଶ୍ନ କରିଛନ୍ତି । ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ମଧ୍ୟ ଲୋକେ ଦାବି କରିଛନ୍ତି ।

ଆମେରିକାରେ ଏତେ ସଂଖ୍ୟାରେ ଲୋକେ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରିବାର ଦେଖାଯାଇଛି । ଟ୍ରମ୍ପଙ୍କ ଏପରି କୁଶାସନକୁ ଆମେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏପରିକି କେତେକ ଲୋକ ପ୍ଲାକାର୍ଡ ଓ ବ୍ୟାନରରେ ଲେଖିଛନ୍ତି, ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରାଯାଉ । ପ୍ରତିବାଦ ସ୍ଵରୂପ ଆମେରିକାର ପତାକାକୁ କେତେକ ଲୋକ ଓଲଟାଇ ଧରିଥିଲେ । ଆମେରିକାରେ କୌଣସି ଦୁଃଖଦାୟକ ଘଟଣା ହେଲେ ପତାକାକୁ ଏମିତି ଓଲଟାଇ ଧରାଯାଏ ।

ଆନ୍ଦୋଳନର ଆୟୋଜକ ହେଉଛି ୫୦-୫୦-୧ । ଅର୍ଥାତ ୫୦ଟି ରାଜ୍ୟରେ ୫୦ଟି ପ୍ରତିବାଦ ଓ ଗୋଟିଏ ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ଆମେରିକାରେ ୪୦୦ରୁ ଅଧିକ ଏପରି ବିକ୍ଷୋଭ କରାଯାଇଛି । ଏହା ପୂର୍ବରୁ ଗତ ଏପ୍ରିଲ ୪ରେ ହ୍ୟାଣ୍ଡସ୍ ଅପ୍ ନାଁରେ ବି ଟ୍ରମ୍ପଙ୍କ ବିରୋଧରେ କରାଯାଇଥିଲା ବିରାଟ ଆନ୍ଦୋଳନ । ଏଥିରେ ଆମେରିକାର ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ ।