ଆଫ୍ରିକୀୟ ରାଷ୍ଟ୍ର ମାଲିରେ ୩ ଭାରତୀୟଙ୍କୁ ଅପହରଣ ଘଟଣା ; ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା

1 min read

ବ୍ରହ୍ମପୁର : ଆଫ୍ରିକୀୟ ରାଷ୍ଟ୍ର ମାଲିର ଡାୟମଣ୍ଡ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ ଘଟଣା । ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଞ୍ଜାମ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ୨୮ ବର୍ଷ ବୟସ୍କ ପି. ଭେଙ୍କଟରମଣ। ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ହିଞ୍ଜିଳି ଥାନାରେ ଗତକାଲି ଅଭିଯୋଗ କରିଛନ୍ତି ଭେଙ୍କଟରମଣଙ୍କ ମା । ମୁମ୍ବାଇର ବ୍ଲୁଷ୍ଟାର କମ୍ପାନୀ ପକ୍ଷରୁ ମାଲିର ଏକ ସିମେଣ୍ଟ କାରଖାନାକୁ ଯାଇ ସେଠାରେ କାମ କରୁଥିଲେ ଭେଙ୍କଟରମଣ।

ଗତ ୧ ତାରିଖରେ ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ଅଲକାଏଦାର ଏକ ସହଯୋଗୀ ସଂଗଠନ ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାୟମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରାଯାଇଥିଲା । ଏହା ସହ ଚୀନର ଜଣେ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା । ଅଲକାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପହରଣ କରାଯାଇଥିଲା। ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

ଅପହୃତ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର ଲାଗି ମାଲି ସରକାରଙ୍କ ନିକଟରେ ଅନୁରୋଧ କରିଛି ମନ୍ତ୍ରାଳୟ । ସଶସ୍ତ୍ର ଆତଙ୍କୀ ପ୍ରଥମେ କାରଖାନାରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ଅପହରଣ କରିଥିଲେ । ବାମାକୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଛି । ମାଲିରେ ବସବାସ କରୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଥିଲା ମନ୍ତ୍ରାଳୟ ।