ଜାମୁ କାଶ୍ମୀରର ରାଜୌରୀ ଜିଲ୍ଲାରୁ ଗିରଫ ହେଲେ ୩ ଆତଙ୍କବାଦୀ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

1 min read

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପୋଲିସ ଏବଂ ସେନାର ମିଳିତ ଅପରେସନ୍ ଫଳରେ ଏକ ବଡ ସଫଳତା ହାସଲ ହୋଇଛି । ସୁରକ୍ଷା ବାହିନୀ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ନଗଦ ଟଙ୍କା ଜବତ କରିଛି ସେନା । ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ସହରର ଗୁରୁଦ୍ୱାର ଅଞ୍ଚଳରେ ବୁଲୁଥିବା ସୂଚନା ମିଳିବା ପରେ ପୋଲିସ ଏବଂ ସେନା ମିଳିତ ସର୍ଚ ଅପରେସନ ଆରମ୍ଭ କରିଥିଲା । ଏହି ତିନି ଆତଙ୍କବାଦୀ କାଶ୍ମୀର ଉପତ୍ୟକାର ପୁଲୱାମା ଏବଂ ଶୋପିଆନ୍ ବାସିନ୍ଦା ବୋଲି କୁହାଯାଉଛି ।

ସେମାନଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବ । ସେମାନଙ୍କ ନିକଟରୁ ଦୁଇଟି ଏକେ-୫୬ ରାଇଫଲ, ୬ ଏକେ ମାଗାଜିନ, ୧୮୦ ରାଉଣ୍ଡ ଗୁଳି, ଦୁଇଟି ପିସ୍ତଲ, ଚାରିଟି ଗ୍ରେନେଡ ଏବଂ ପାଖାପାଖି ନଗଦ ଏକ ଲକ୍ଷ ଟଙ୍କା  ଜବତ କରିଛି । ଏହି ତିନି ଆତଙ୍କବାଦୀ ରାଜୌରୀରେ ସେନା ଏବଂ ପୋଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିଲେ ବୋଲି କୁହାଯାଉଛି ।

ସେପଟେ ଦେଶରେ ଅଲ-କାଏଦା ମଡ୍ୟୁଲକୁ ଅକାମି କରିଛି ଏନ୍‌ଆଇଏ । ଏହି ଚଢ଼ାଉରେ କେରଳ ଏବଂ ପଶ୍ଚିମବଙ୍ଗର ୯ ଜଣ ସନ୍ଦିଗ୍ଧ ଅଲ-କାଏଦା ଆତଙ୍କବାଦୀଙ୍କୁ ଏନଆଇଏ ଗିରଫ କରିଛି । ସମସ୍ତ ସନ୍ଦିଗ୍ଧମାନେ ଅସ୍ତ୍ରଶସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଏଠାରେ ଆତଙ୍କବାଦୀ ଘଟଣା ଘଟାଇବାକୁ ଦିଲ୍ଲୀ ଯାତ୍ରା କରିବାକୁ ଯୋଜନା କରିଥିଲେ ।

Leave a Reply