ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଦୋକାନୀ ଅଟକ

କଟକ: କଟକ ଜିଲ୍ଲା ଜଗତପୁରରେ ଗତକାଲି ଗୁଡ଼ିର ମାଞ୍ଜା ସୂତାରେ ଗଳା କଟି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଦୋକାନରେ ୩ ଅଟକ । ଅଟକ ବ୍ୟକ୍ତିମାନେ ଗୁଡ଼ି ସୂତା ବିକ୍ରି କରୁଥିବା ଦୋକାନୀ ।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ଜଗତପୁର ପୀରବଜାରରେ ଗୁଡି ସୂତା ଲାଗି ଭୟରପୁରର ଜୟନ୍ତଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜୟନ୍ତ ନବ ବିବାହିତା ପତ୍ନୀଙ୍କୁ ଧରି ବାଇକରେ ଶ୍ବଶୁର ଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପତ୍ନୀଙ୍କ ଆଗରେ ତାଙ୍କ ଜୀବନ ଚାଲି ଯାଇଥିଲା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ହାଇକୋର୍ଟ ପୂର୍ବରୁ ମାଞ୍ଜା ସୂତାକୁ ବ୍ୟାନ କରିଥିବା ବେଳେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି । ଏହାସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

ପୋଲିସ ୩ ଜଣଙ୍କୁ ଦୋକାନୀଙ୍କୁ ଅଟକ ରଖିଥିବା ବେଳେ ଚାଇନାରୁ ଆସୁଥିବା ପ୍ଲାଷ୍ଟିକ ସୂତା କି ସୂତାରେ କାଚ ମାଞ୍ଜା ଲଗାଯାଇଥିଲା ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ମାଞ୍ଜା ସୂତା ମୃତ୍ୟୁ ପରେ ଚେତିଛି ସିଏମସି । କଟକ ମହାନଗର ନିଗମ ପକ୍ଷରୁ ୪ଟି ଟିମ୍ ଗଠନ ହୋଇଛି । ପୋଲିସ ସହାୟତାରେ ବିଭିନ୍ନ ଦୋକାନ ଉପରେ ରଖାଯାଉଛି ନଜର । ସହରର ପିଠାପୁର, ଚୌଧୁରୀ ବଜାର ଅଞ୍ଚଳରେ ଯାଞ୍ଚ କରାଯିବ । ଯଦି କେହି ମାଞ୍ଜା ସୂତା ବିକୁଥିବା ନଜର ଆସନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡେପୁଟି କମିଶନର ଅବିନାଶ ରାଉତ ।

ସୂଚନାଯୋଗ୍ୟ, କଟକରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ୩ରୁ ୪ଟି ଘଟଣା ଘଟିଛି । ପ୍ରତିବର୍ଷ ମାଞ୍ଜା ସୂତା ଲାଗି କିଛି ଲୋକ ଆହତ ହେଉଛନ୍ତି ।

Leave a Reply