spot_img

Latest Posts

୨୦ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି

ଭୁବନେଶ୍ୱର: ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଜାରି ରହିଛି। ଆଜି ୨୦ଟି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଥିବା ବେଳେ ୧ ଏବଂ ୨ ତାରିଖରେ ୮ଟି ଜିଲ୍ଲା, ୩ ତାରିଖରେ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ସେପଟେ ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ- ସୋଆ ପରିଚାଳିତ ସେଣ୍ଟର ଫର୍ ଏନ୍ଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ – ସିଇସି ପକ୍ଷରୁ କୁହାଯାଇଛି ।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ତାପମାତ୍ରା କମିଛି। କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ମାତ୍ରାରେ ଜଳୀୟବାଷ୍ପ ପାଇଁ ଆର୍ଦ୍ରତା ୭୫ରୁ ୮୦ପ୍ରତିଶତ ରହୁଛି। ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳ ଓଡ଼ିଶାବାସୀ।

Latest Posts

Don't Miss