ଭିଜାଇଲା ବର୍ଷା, ଘଡଘଡ଼ି ନେଲା ୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଆଜି ଅନେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି  ।  ବଜ୍ରାଘାତରେ ଦୁଇ ମୃତ । ବାଲିଅନ୍ତାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଫିରିଫିରା ଗାଁର ଗୌରାଙ୍ଗ ବେହେରା । ଆଜି ସଂଧ୍ୟାରେ ଗୌରାଙ୍ଗ ଗାଈ ଚରାଉଥିବା ବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ । ତାଙ୍କୁ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଗଞ୍ଜାମ ପୁରୁଷୋତ୍ତମପୁର ବ୍କକ ସାମନ୍ତରାପଲ୍ଲୀରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗାଁର ୨୯ବର୍ଷୀୟ ରବି ଗୌଡ ମଇଁଷି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ଟ୍ବିନ ସିଟିକୁ ଭିଜାଇଛି ବର୍ଷା । ସନ୍ଧ୍ୟାରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ରାତି ୮ଟା ସୁଦ୍ଧା ଭୁବନେଶ୍ବରରେ ୩୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି କିଛି ରାସ୍ତାରେ ପାଣି ଜମିଥିବା ସୂଚନା ରହିଛି । ସେପଟେ କଟକ ନିଆଳିରେ ବଜ୍ରାଘାତରେ ଜଳିଯାଇଛି ଘର । ଘରର ଛାତଫାଟି ଯାଇଥିବା ବେଳେ ସମସ୍ତ ଆସବାବପତ୍ର ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ ।

Leave a Reply