ଚାଷୀଙ୍କୁ ଦୁଃଖ ଦେଇଗଲା କାଳବୈଶାଖୀ…

ନନ୍ଦିଘୋଷ ବ୍ୟୁରୋ: ଅଦିନିଆ କାଳବୈଶାଖୀ ଚାଷୀକୁ ଦେଇଛି ଦୁଃଖ। କେଉଁଠି ଧାନ ବିଲରେ ଭିଜୁଛି ତ କେଉଁଠି ରାସ୍ତା ଉପରେ ଭିଜୁଛି । ଧାନ ଭିଜି ନଷ୍ଟ ହେବାକୁ ବସିଥିବାରୁ ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଅନେକ ଚାଷୀ । କିପରି ଋଣ ସୁଝିବେ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ମୁଣ୍ଡରେ ହାତ ଦେଇବସିଛନ୍ତି।

କାଳବୈଶାଖୀ ଉଜାଡ଼ିଛି ଧାନ ଫସଲ। କ୍ଷେତରେ ଜମିରହିଛି ପାଣି । ଆଣ୍ଠୁଏ ପାଣିରୁ ଧାନ କାଟି ଆଣୁଛନ୍ତି ଚାଷୀ । ସ୍ଥିତି ଏମିତି  ଓଦା ଧାନକୁ ଶୁଖାଇବା ଯାଉ ରାସ୍ତା ଉପରେ ଧାନକୁ ଶୁଖାଇଛନ୍ତି ଚାଷୀ । ଲଘୁଚାପ ଜନିତ ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ପ୍ରଚଣ୍ଡ ଖରାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରବି ଋତୁରେ ଧାନ ଚାଷ କରିଥିଲେ । ହେଲେ ଲଗାଣ ବର୍ଷାରେ ଧାନ ଭିଜି ଗଜା ହୋଇଯିବାକୁ ବସିଥିବାରୁ ଚିନ୍ତାରେ ଚାଷୀ ।

ଚଳିତ ରବି ଋତୁରେ ଧର୍ମଗଡ଼ ଉପଖଣ୍ଡରେ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଧାର କରଜ କରି ଚାଷୀ ଧାନ ଚାଷ କରିଥିଲେ । କିଛି ଚାଷୀ ଧାନ ଅମଳ କରି ରାଜରାସ୍ତାରେ ଶୁଖାଇବା ସହ ଧାନ ଗଦା କରି ରଖିଥିଲେ । ନୂଆ ସରକାରରେ ୩୧ ଶହ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ । ହେଲେ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହେବାକୁ ବସିଛି ।