ଜନବସତି ଭିତରେ ବାଘ ଆତଙ୍କ, ତିନି ଜଣଙ୍କୁ କଲା ଘାଇଲା

ମୁମ୍ବାଇ: ଜନବସତି ଇଲାକାରେ ପଶିଗଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୩ ଜଣ ଆହତ । ଘଟଣା ଘଟିଛି ମୁମ୍ବାଇ ନିକଟସ୍ଥ କଲ୍ୟାଣରେ । ଏକ ଘରର ଝରକା ଦେଇ ବାଘଟି ଘରେ ପଶିଯିବା ପରେ ଲୋକଙ୍କୁ ଆକ୍ରମଣ କରିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ବାଘକୁ ଉଦ୍ଧାର କରିଛନ୍ତି ବନବିଭାଗ ଅଧିକାରୀ । ମୁମ୍ବାଇର ପୋଓ୍ବାଲି ଇଲାକାରେ ଥିବା ଆଇଆଇଟି ବମ୍ବେ କ୍ୟାମ୍ପସରେ ତିନି ଦିନ ତଳେ ପଶିଯାଇଥିଲା ବାଘ ।

କ୍ୟାମ୍ପସରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା ବାଘ ।   ଜଙ୍ଗଲ ବିଭାଗ ଅଧିକାରୀଙ୍କ ଉଦ୍ୟମ ପରେ ବାଘକୁ କାବୁ କରାଯାଇଥିଲା । ବାଘ ଯେତିକି ସମୟ ରହିଥିଲା, ସମଗ୍ର ଅଞ୍ଚଳରେ ଆତଙ୍କ ରଚିଥିଲା  । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାଘଟି ରକ୍ତମୁଖା ରହିଥିଲା, ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଥିଲା  । ଯାହାକୁ ଦେଖୁଥିଲା ଝାମ୍ପ ମାରୁଥିଲା  ।

ତେବେ ଏନେଇ ଖବର ପାଇଥିଲେ ବନବିଭାଗ କର୍ମଚାରୀ  । ପରେ ସ୍ଥାନୀୟ ଅ଼ଞ୍ଚଳରେ ପହଁଚିଥିଲେ  । ବାଘ ପଶିଥିବା ଘର ଚାରିପାଖରେ ଜାଲ ବିଛାଇଥିଲେ କର୍ମଚାରୀ  । ସତର୍କତାର ସହ ବାଘକୁ କାବୁ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ  । ପରବର୍ତ୍ତୀ ସମୟରେ ବାଘକୁ ମଧ୍ୟ କାବୁ କରିନେଇଥିଲେ ବନ ବିଭାଗ କର୍ମଚାରୀ  । ବାଘର ଆକ୍ରମଣରେ ତିନି ଜଣ ଆହତ ହୋଇଥିବାବେଳେ, ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  ।